କଟକ: ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବାରବାଟୀରେ ଭାରତର ବଡ ବିଜୟ । କଟକର ବାରବାଟୀ ଷ୍ଟାଡିମୟରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ସୁପର ଫାଇଟ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ । ତେବେ କ୍ୟାପଟେନ ରୋହିତ

ଶର୍ମାଙ୍କ ଶତକ ଭାରତ ପାଇଁ ବିଜୟ ଆଣିଦେଇଥିଲା ।

ଆରମ୍ଭରୁ ହିଁ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ । ୧୩ ଓଭର ୪ ବଲରେ ପାର୍ଟନରସିପରେ ୧୦୦ ରନ କରିଥିଲେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିବା ବେଳେ ରୋହିତ ଶତକ ହାସଲ କରିଥିଲେ ।

ବାରବାଟୀରେ ଆଜି କ୍ୟାପଟେନ ରୋହିତଙ୍କ ରୋ-ହିଟ୍ ମୁଡ ଦେଖିବାକୁ ମିଳିଥିଲା । ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ ରୋହିତ । ୯୦ ବଲରେ ସେ ୧୨ଟି ଚଉକା ଓ ୭ଟି ଛକା ସହ ୧୧୯ ରନ ସଂଗ୍ରହ କରିଛନ୍ତିି । ଲିଭିଙ୍ଗଷ୍ଟୋନଙ୍କ ବଲରେ ଆଦିଲ ରସିଦଙ୍କ ହାତରେ କ୍ୟାଚ ଆଉଟ ହୋଇଯାଇଥିଲେ ରୋହିତ । ତେବେ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଦର୍ଶକମାନ ଭରପୁର ଉପଭୋଗ କରିଥିଲେ ।

ବିସ୍ଫୋରକ ବ୍ୟାଟିଂ ବଳରେ ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍‌ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବିରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୨୧ଟି ମ୍ୟାଚରେ ୪୧.୯୦ ହାରରେ ୧୫ ହଜାର ୭୫୮ ରନ କରିଛନ୍ତି । ସେହିପରି ତେନ୍ଦୁଲକର ୩୪୬ଟି ମ୍ୟାଚରେ ୪୮.୦୬ ହାରରେ ୧୫ହଜାର ୩୩୫ ରନ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ରୋହିତ ଶର୍ମାଙ୍କୁ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ମାତ୍ର ୫୦ ରନର ଆବଶ୍ୟକତା ଥିବା ବେଳେ ଏହି ରନ ଆଜି ପୂରଣ ହୋଇଯାଇଛି । ଆଜିର ମ୍ୟାଚରେ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି ରୋହିତ ଶର୍ମା ।

0 Comments