ୱାଶିଂଟନ: ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନ । କଡା ମୁକାବିଲା ପୂର୍ବାକଳନ ମଧ୍ୟରେ କାମ ଦେଲା ଟ୍ରମ୍ପ କାର୍ଡ । ହାରିଲେ ହାରିସ, ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଆଜି ପୂର୍ବାହ୍ନରେ ଭୋଟିଂ ଶେଷ ହେବା ପରେ ମଧ୍ୟାହ୍ନ ସୁଦ୍ଧା ଗଣତି ଶେଷ ହୋଇଛି । ଏଥର ଆମେରିକାରେ କ୍ଷମତା ପରିବର୍ତ୍ତନ ସହ ଡେମୋକ୍ରାଟିକ୍ ପ୍ରାର୍ଥୀ ତଥା ଉପ-ରାଷ୍ଟ୍ରପ
ତି କମଲା ହାରିସଙ୍କୁ ହରାଇ ସର୍ବୋଚ୍ଚ ସାମ୍ବିଧାନିକ ପଦ ହାସଲ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।
ଫଳାଫଳ ସ୍ପଷ୍ଟ ହେବା ଆମେରିକୀୟ ରାଜନୈତିକ ପରମ୍ପରା ଅନୁସାରେ ପରେ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଅନ୍ୟପଟେ ସାରା ବିଶ୍ୱରୁ ଟ୍ରମ୍ପଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଟ୍ୱିଟରେ ଶୁଭେଚ୍ଛା ଜଣାଇଛନ୍ତି । ଡୋନାଲ୍ଡ ଟ୍ରମ୍ପ 270ର ସଂଖ୍ୟା ଗରିଷ୍ଠତା ଛୁଇଁଛନ୍ତି । ସେ ମୋଟ 277 ନିର୍ବାଚନୀ ଭୋଟ୍ ପାଇଥିବା ବେଳେ କମଲା ହାରିସ 214ଟି ଭୋଟ ପାଇଛନ୍ତି ।
ଆସନ୍ତାମାସ (ଡିସେମ୍ବର) ମାସ ଦ୍ବିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ବିଜେତା ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କ ପ୍ରାଦେଶିକ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମତଦାନ କରିବେ । ଏହା ପରେ ସମସ୍ତ ବ୍ୟବସ୍ଥାପିକାରେ ମତଗଣନା କରାଯାଇ ଫଳାଫଳ ସଂସଦ ବା ଜାତୀୟ ବ୍ୟବସ୍ଥାପିକାରେ ଦାଖଲ କରାଯିବ । ଜାନୁଆରୀ ୬ ତାରିଖରେ ସଂସଦର ଉଚ୍ଚ ସଦନର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେତା ଇଲେକ୍ଟରଙ୍କର ଏକ ମିଳିତ ଅଧିବେଶନ ଆହୁତ କରାଯାଇ ସମସ୍ତ ଭୋଟ ଗଣତି ହେବାର ବିଧି ରହିଛି । ଉକ୍ତ ଅଧିବେଶନରେ ଟ୍ରମ୍ପଙ୍କ ନାମରେ ବିଧିବଦ୍ଧ ମୋହର ବାଜିବ ।
ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ବିଧି ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ଜାନୁଆରୀ 20 ତାରିଖରେ ପୂର୍ବ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଟ୍ରମ୍ପ ଶପଥ ନେବେ । ସଂସଦରେ ଆୟୋଜିତ ଶପଥ ବିଧି କାର୍ଯ୍ୟକ୍ରମରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାସହ ଟ୍ରମ୍ପ ଦ୍ବିତୀୟ ପାଳିରେ ଆସନ୍ତା 4ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରନ୍ତି ।