ୱାଶିଂଟନ: ଭାରତ ଠାରୁ ମୁହଁ ଫେରାଇବା ପରେ ପାକିସ୍ତାନ ସହ ହାତ ମିଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଖାଲି ହାତ ମିଳାଇ ନାହାନ୍ତି, ସ୍ବପ୍ନ ବି ଦେଖାଇଛନ୍ତି । ସେପଟେ ଟ୍ରମ୍ପଙ୍କ ସ୍ୱପ୍ନରେ ବାଉଳା ହେଇ ପାକିସ୍ତାନ କହିଛି 'ଏହା ଏକ ଐତିହାସିକ ଡିଲ'।

ଗତକାଲି ଭାରତ ଉପରେ ଟ୍ରମ୍ପ ୨୫% ଟାରିଫ ଲଗାଇବା ପରେ ଆଜି ଭାରତ-ରୁଷ ସମ୍ପର୍କକୁ ନେଇ ପୁଣି ଜୋରଦାର ବର୍ଷିଛନ୍ତି । ଭାରତ ଓ ରୁଷ ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବା ସହ ଉଭୟ ଦେଶର ଅର୍ଥନୀତି ତଳକୁ ଯିବ ବୋଲି କହିଛନ୍ତି । ଏପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ

ାକିସ୍ତାନ ସହିତ ଏକ ତୈଳ ଚୁକ୍ତି ଘୋଷଣା କରିଛନ୍ତି । ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହ ବାଣିଜ୍ୟିକ କାରବାର କରି ଟ୍ରମ୍ପ ତାଙ୍କୁ ଏକ ବଡ଼ ସ୍ୱପ୍ନ ମଧ୍ୟ ଦେଖାଇଛନ୍ତି । ଟ୍ରମ୍ପ କହିଛନ୍ତି, ଏହି କାରବାର କରି ପାକିସ୍ତାନ ଦିନେ ଭାରତକୁ ତେଲ ବିକ୍ରି କରି ପାରିବ ।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ Truthରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ପାକିସ୍ତାନରେ ତୈଳ ଭଣ୍ଡାର ବିକାଶ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିପାଇଁ, ଉଭୟ ଦେଶ ସହଭାଗୀତାରେ ଏକ ତୈଳ କମ୍ପାନୀ ଚୟନ କରିବାକୁ ଯାଉଛନ୍ତି । ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନ ଏବଂ ଆମେରିକା ସେମାନଙ୍କର ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ଏକାଠି କାମ କରିବେ।" ଏହା ପରେ ପାକିସ୍ତାନକୁ ବଡ ସ୍ବପ୍ନ ଦେଖିଛନ୍ତି ଟ୍ରମ୍ପ । କହିଛନ୍ତି, 'କିଏ ଜାଣେ, ହୁଏତ ଦିନେ ସେମାନେ ଭାରତକୁ ମଧ୍ୟ ତେଲ ବିକ୍ରୟ କରିବେ!'

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ । ଟ୍ରମ୍ପ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି, "ଭାରତ ସବୁବେଳେ ରୁଷଠୁ ସାମରିକ ଉପକରଣର ଏକ ବଡ଼ ଅଂଶ କିଣୁଛି । ଏହାସହ ଭାରତ ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ ।

ଏହି ଘୋଷଣା ପରେ ଟ୍ରମ୍ପ ତାଙ୍କ ପୋଷ୍ଟରେ ଆହୁରି କହିଛନ୍ତି ଯେ, ଅନେକ ଦେଶର ନେତାଙ୍କ ସହ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିଛନ୍ତି । ସେମାନେ ସମସ୍ତେ ଆମେରିକାକୁ ବହୁତ ଖୁସି କରିବାକୁ ଚାହାଁନ୍ତି । ସେ ଅପରାହ୍ନରେ ଦକ୍ଷିଣ କୋରିଆର ବ୍ୟବସାୟିକ ପ୍ରତିନିଧିମଣ୍ଡଳକୁ ଭେଟିବେ ବୋଲି ମଧ୍ୟ କହିଛନ୍ତି ।

ସେପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଇସଲାମାବାଦ ଏବଂ ୱାଶିଂଟନ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତିକୁ "ଐତିହାସିକ" ବୋଲି କହିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ସେତିକି ନୁହେଁ, ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସହଯୋଗକୁ ବିସ୍ତାର କରିବ ବୋଲି ମଧ୍ୟ କହିଛନ୍ତି ।

0 Comments