ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିର ଜଣେ ଦିଗ୍ଗଜ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଶୋମ ଗୁରୁ ଶିବୁ ସୋରେନଙ୍କର ସୋମବାର ନିଧନ ହୋଇଯାଇଛି । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ବାସ ନେଇଛନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ସେ ଦାର୍ଘଦିନ ଧରି ଚିକିତ୍ସିତ ଅବସ୍ଥାରେ ଥିଲେ । ଅସୁସ୍ଥତା ବଢିବାରୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ସେ କିଡନୀ
ସଂକ୍ରମଣରେ ପୀଡିତ ହେବା ସହିତ ବ୍ରୋଙ୍କାଇଟିସରେ ମଧ୍ୟ ପୀଡିତ ଥିଲେ ।
ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ବୋହୂ କଳ୍ପନା ସୋରେନ ମଧ୍ୟ ଦିଲ୍ଲୀ ପହଞ୍ଚିଥିଲେ । ତାଙ୍କ ସାନ ପୁଅ ବସନ୍ତ ସୋରେନ ମଧ୍ୟ ଦିଲ୍ଲୀରେ ଅଛନ୍ତି । ତାଙ୍କ ଅସୁସ୍ଥତାର ଖବର ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଧ୍ୟ ଶିବୁ ସୋରେନଙ୍କୁ ଭେଟିବା ପାଇଁ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଥିଲେ ।
ଝାଡ଼ଖଣ୍ଡର ଦିଶୋମ ଗୁରୁ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ନିଧନ ଖବର ନେଇ ଭାରତୀୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, "ଶିବୁ ସୋରେନ ଜୀଙ୍କ ବିୟୋଗ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବଡ଼ କ୍ଷତି । ସେ ଆଦିବାସୀ ପରିଚୟ ଏବଂ ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।"
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି କରିବା ସହ ଦୁଃଖ ପ୍ରକାଶ କରି ଲେଖିଛନ୍ତି, "ଶିବୁ ସୋରେନ ଜୀ ଜଣେ ତୃଣମୂଳ ସ୍ତରର ନେତା ଥିଲେ, ଯିଏ ଲୋକଙ୍କ ପ୍ରତି ଅଟଳ ସମର୍ପଣ ସହିତ ସାର୍ବଜନୀନ ଜୀବନର ପଦପଦବୀରେ ଉପରକୁ ଉଠିଥିଲେ । ସେ ବିଶେଷ ଭାବରେ ଆଦିବାସୀ ସମ୍ପ୍ରଦାୟ, ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସାହୀ ଥିଲେ।"
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ନିଧନ ଖବରରେ ମର୍ମାହତ ହୋଇଥିବା ଲେଖିଥିଲେ । ଏହା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।