ଉତ୍ତରକାଶୀ: ପ୍ରଳୟଙ୍କରୀ ବାଦଲଫଟା ବର୍ଷାପରେ ଆସିଥିବା ଆକସ୍ମିକ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ସର୍ବସ୍ବାନ୍ତ ହୋଇଯାଇଥିବା ଧରାଲୀ ଗ୍ରାମର ପୂର୍ବ ଓ ପରର ଦୃଶ୍ୟ ଜାରି କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋର ଜାତୀୟ ରିମୋଟ ସେନସିଂ କେନ୍ଦ୍ର ଗୁରୁ
ବାର ଦୁର୍ଘଟଣାର ତୀବ୍ରତା ସାଟେଲାଇଟ ଦ୍ବାରା ଉତ୍ତୋଳିତ ଚିତ୍ର ମାଧ୍ୟମରେ ପ୍ରକାଶ କରିଛି ।
ଇସ୍ରୋର ଜାତୀୟ ରିମୋଟ ସେନସିଂ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ହାଇ ରିଜୋଲ୍ୟୁସନ ଚିତ୍ରରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଏହି ଚିତ୍ରରେ ଆପଣ ଧରାଲୀର ପୂର୍ବ ଓ ପରର ଦୃଶ୍ୟ ଦେଖିପାରିବେ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ପ୍ରକୃତି କୋଳରେ ଶୋଭା ପାଉଥିବା ଧରାଲୀ ଗ୍ରାମ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ବନ୍ୟାର କରାଳ ପ୍ରଭାବରେ ଗ୍ରାମଟି ସମ୍ପୂର୍ଣ୍ଣ ଭାବରେ କାଦୁଅରେ ବୁଡ଼ିଯାଇଛି । ଏହା ସହିତ ଗ୍ରାମର ଅନେକ ଘର ଧୋଇ ହୋଇଯାଇଛି ।
ଅଗଷ୍ଟ ୫ ତାରିଖରେ ଉତ୍ତରକାଶୀ ଜିଲ୍ଲାର ଧରାଲି ଏବଂ ହର୍ସିଲ ଗାଁରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ପ୍ରଳୟଙ୍କରୀ ବନ୍ୟା । ଯାହା ଫଳରେ ଏହା ସହିତ ଅନେକ ଭଗ୍ନାବଶେଷ ପ୍ରବାହିତ ହୋଇଥିଲା । ହଠାତ୍ ବନ୍ୟା ଆସିବା ଫଳରେ ଘରଗୁଡ଼ିକ ଭାସି ଯାଇଥିଲା । ଧନଜୀବନର ବ୍ୟାପକ କ୍ଷୟକ୍ଷତି ସହିତ କିଛି ବ୍ୟକ୍ତି ପ୍ରାଣ ହରାଇବା ସହିତ ଅନେକ ନିଖୋଜ ହୋଇ ଯାଇଥିଲେ ।
ମହାକାଶ ଏଜେନ୍ସି ଇସ୍ରୋ ଭାରତର Cartosat-2S ସାଟେଲାଇଟ ଦ୍ବାରା ହାଇ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଛି । ଏହାକୁ ବ୍ୟବହାର କରି କ୍ଷତିର ମୂଲ୍ୟାଙ୍କନ କରାଯାଇଛି । ଅଗଷ୍ଟ 7 ତାରିଖର ସାଟେଲାଇଟ୍ ଚିତ୍ର ଏବଂ ଜୁନ 13, 2024 ମସିହାରେ ଉତ୍ତୋଳନ କରାଯାଇଥିବା ଚିତ୍ର ସହିତ ତୁଳନା କରିଲେ ଧ୍ୱଂସର ପରିମାଣ ଏବଂ ଗମ୍ଭୀରତାକୁ ସହଜରେ ବିଶ୍ଳେଷଣ କରା ଯାଇପାରିବ । ଇସ୍ରୋର ଫଟୋ ଚିତ୍ରରୁ ପ୍ରଶସ୍ତ ସ୍ରୋତ ଯୋଗୁଁ ଆକସ୍ମିକ ବନ୍ୟା, ପବନ ଏବଂ ଭଗ୍ନାବଶେଷ ଜମା ହେବା ଫଳରେ ଧରାଲୀ ଠାରେ ଅନେକ କୋଠା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଧ୍ୱଂସ ହେବାର ସୂଚନା ମିଳୁଛି।