ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ବୈଠକରେ ୬ ଟି ବିଭାଗର ୭ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧, ସମବାୟ ବିଭାଗର ୧, ଅର୍ଥ ବିଭାଗର ୧, ଗୃହ ଓ ନଗର ଉନ୍ନୟନ ବିଭାଗର ୨, ବାଣିଜ୍ୟ ଓ ପରିବହନ ବିଭାଗର ୧, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ପ୍ରସ୍ତାବ ବୈଠକରେ ପାରିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ରାଜ୍ୟରେ ସଂଗ୍ରହାଳୟ ଗୁଡିକର ସୁପରିଚାଳନା ଓ ସମନ୍ୱୟ ପାଇଁ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ହୋଇଥିଲା । ପୂର୍ବରୁ ମନ୍ତ୍ରୀ ମଣ୍ଡଳ ଏହି ନିଷ୍ପତ୍ତି ନେଇଥିଲା । ଏବେ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ପାଇଁ କ୍ୟାଡର ନିୟମାବଳୀକୁ ଆଜି କ୍ୟାବିନେଟ ଅନୁମୋଦନ ଦେଇଛି । ପୂର୍ବରୁ ଏଥିରେ ୧୭ଟି ପଦବୀ ଥିବାବେଳେ ଏବେ ୩୯ଟି ପଦବୀ ହେବ । ଏହାର ମୁଖ୍ୟ ଅତିରିକ୍ତ ସଚିବ ରାଙ୍କର ଅଫିସର ହେବେ । ଓଏଏସ କିମ୍ବା ଆଇଏଏସ ଅଧିକାରୀ ଏହାର ଦାୟିତ୍ୱରେ ରହିପାରିବେ । ଭୁବନେଶ୍ୱରରେ ବଡ଼ ଓ ରାଜ୍ୟରେ ୧୦ ଟି ବ୍ରାଞ୍ଚ ସଂଗ୍ରହାଳୟ ଅଛି ।

ମଣ୍ଡିକୁ ଆଦର୍ଶ ବା ମଡେଲ ମଣ୍ଡିରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩୮ ଟି ମଡେଲ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ଆଦର୍ଶ ମଣ୍ଡି ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୦ କୋଟି ଟଙ୍କା । ୧୫୦ କୋଟି ଟଙ୍କା ଆରଏମସି ଓ ୧୫୦ କୋଟି ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ । ମଣ୍ଡିରେ ଧାନ ସୁଖେଇବା ବ୍ୟବସ୍ଥା, ଚାଷୀଙ୍କ ଲାଗି ବିଶ୍ରାମ କକ୍ଷ, ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟରେ ଆଉ ୬୨ ମଣ୍ଡିକୁ ଆଦର୍ଶ ମଣ୍ଡିରେ ପରିବର୍ତ୍ତନ ଲାଗି ପଦକ୍ଷେପ ନିଆଯିବ ।

ଓଡ଼ିଆ ଅମଲା ସେବା ବାଣିଜ୍ୟକର ଏବଂ ଦ୍ରବ୍ଯ ସେବା କର ସଂଗଠନର ଅଧିନସ୍ଥ କାର୍ଯ୍ୟାଳୟର ନିୟମାବଳୀ ୨୦୨୫ର ସଂଶୋଧନ ହୋଇଛି । କନିଷ୍ଠ ସହାୟକ (ସ୍ତର-4), ବରିଷ୍ଠ ସହାୟକ (ସ୍ତର-8), ସହକାରୀ ଉପ ବିଭାଗ ଅଧିକାରୀ (ସ୍ତର-9), ଉପ ବିଭାଗ ଅଧିକାରୀ (ସ୍ତର-10) ଏବଂ ପ୍ରତିଷ୍ଠାନ ଅଧିକାରୀ (ସ୍ତର-11) ରହିବେ । ଅମଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟରେ ସ୍ଥିତ କନିଷ୍ଠ ସହାୟକମାନଙ୍କ ମୂଳ ପଦବୀ ସଂଖ୍ୟାର ୫୦ ପ୍ରତିଶତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ହେବ । ବାକି 20 ପ୍ରତିଶତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ ।<

p>

ସମ୍ବଲପୁର ଏବଂ ହୀରାକୁଦ ପାଇଁ ହୀରାକୁଦ ଡ୍ୟାମ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ୧୧୦ ଏମଏଲଡି କ୍ଷମତା ସମ୍ପନ୍ନ ଇନଟେକ ୱେଲ ନିର୍ମାଣ ହେବ । ଭିଏଫଡି ସହିତ ୩ଟି ୧୮୫ ଏଚପି କ୍ଷମତା ବିଶିଷ୍ଟ ସ୍ବୟଂ-ଜଳ ଲୁବ୍ରିକେଟେଡ ଭର୍ଟିକାଲ ଟର୍ବାଇନ ପମ୍ପ ସେଟ ସ୍ଥାପନ ହେବ । ସମ୍ବଲପୁର ଏବଂ ହୀରାକୁଦ ପାର୍ଶ୍ଵ ପାଇଁ ଟିପୁ ପଡ଼ାରେ ୬୫ ଏମଏଲଡି କ୍ଷମତା ବିଶିଷ୍ଟ ଜଳ ବିଶୋଧନା କେନ୍ଦ୍ର ନିର୍ମାଣ ହେବ । ବୁର୍ଲାରେ ୩୫ ଏମଏଲଡି କ୍ଷମତା ବିଶିଷ୍ଟ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ହେବ । ଏଥିପାଇଁ ୩୮୨ କୋଟି ୪୦ ଲକ୍ଷ ୨୮ ହଜାର ୫୫୮ ଟଙ୍କା ଖର୍ଚ୍ଚ ହେବ । ମେସର୍ସ ଇଗଲ ଇନଫ୍ରା ଇଣ୍ଡିଆ ଲିମିଟେଡ, ମହାରାଷ୍ଟ୍ର ଏହାକୁ ନିର୍ମାଣ କରିବ । ଏହା ୨୦୨୭ ମସିହା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶାର ୧୧୦ଟି ସହରାଞ୍ଚଳରେ ଏଲ୍.ଇ.ଡି ସାର୍ବଜନୀନ ଷ୍ଟ୍ରିଟ ଲାଇଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପକୁ ପାଣ୍ଠି ଯୋଗାଣ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରେ ଉପଲବ୍ଧ ଥ‌ିବା ୧୫୦ କୋଟି ଟଙ୍କା ବର୍ତ୍ତମାନ ଉପଯୋଗ କରାଯାଉଛି । ଅବଶିଷ୍ଟ ୨୦୦ କୋଟି ଟଙ୍କା ପାଇଁ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିର ନିଜସ୍ବ ପାଣ୍ଠିରୁ ଉପଲବ୍ଧ ଥ‌ିବା ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ବ୍ୟବହାର କରିବାକୁ କ୍ୟାବିନେଟ ଅନୁମୋଦନ ଦେଇଛି ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (MRO) ସୁବିଧା ପ୍ରତିଷ୍ଠା ଓ ଅତିରିକ୍ତ ପ୍ରୋତ୍ସାହନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । MRO ସୁବିଧା ପ୍ରତିଷ୍ଠା କରିବା ପାଇଁ ଭାରତର ସର୍ବପୁରାତନ ଏବଂ ସର୍ବବୃହତ ତୃତୀୟ-ପକ୍ଷ ଏମଆରଓ ପ୍ରଦାନକାରୀ M/s Air Works India Pvt. Ltdକୁ ଆଙ୍କର ନିବେଶକ ଭାବରେ ମନୋନୀତ କରାଯାଇଛି । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ୩୦ ପ୍ରତିଶତ ସବସିଡି ବ୍ୟବସ୍ଥା ରହିଛି । ଏହାକୁ ୪୦ ପ୍ରତିଶତ କରିବା ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଏକ ହ୍ୟାଙ୍ଗରକୁ ଭଡାରେ ଦିଆଯିବ । ଏମଆରଓ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଆକର୍ଷିତ କରିବା ପାଇଁ କ୍ୟାବିନେଟ- ଶିଳ୍ପ ନୀତି ସଂକଳ୍ପ ୨୦୨୨ ଅନ୍ତର୍ଗତ ବ୍ୟବସ୍ଥା ବ୍ୟତୀତ - ଅତିରିକ୍ତ ପ୍ରୋତ୍ସାହନର ଏକ ସ୍ଵତନ୍ତ୍ର ପ୍ୟାକେଜକୁ ମଧ୍ଯ ଅନୁମୋଦନ କରିଛନ୍ତି ।

ଭାରତରେ ଏମଆରଓ (MRO) ଶିଳ୍ପ ୨୦୩୧ ସୁଦ୍ଧା ୮.୯% ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (CAGR) ରେ ୪୦ ବିଲିୟନ USD ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଓଡ଼ିଶାର ଭୌଗୋଳିକ ସ୍ଥିତି ଏବଂ ରାଜ୍ୟର ନିକଟତା ଅନେକ ପ୍ରମୁଖ ବିମାନ ମାର୍ଗଗୁଡ଼ିକ ଘରୋଇ ଏବଂ ଅନ୍ତର୍ଜାତୀୟ ବାହକମାନଙ୍କୁ ଯୋଗାଇ ଦେଉଥ‌ିବା ଏମଆରଓ ସେବା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବରେ ପରିଣତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ କ୍ୟାବିନେଟ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିଶ୍ବସ୍ତରୀୟ MRO ସୁବିଧା ପ୍ରତିଷ୍ଠାକୁ ଅନୁମୋଦନ କରିଛି । ଏହା ପୂର୍ବ ଭାରତରେ ପ୍ରଥମ ପ୍ରମୁଖ MRO ସୁବିଧା ହେବ । B-MAAN ଯୋଜନା ମାଧ୍ୟମରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୋଣ ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହେବ ।

ଓଡ଼ିଶା ନର୍ସିଂ ଶିକ୍ଷା ସେବା ବ୍ୟବସ୍ଥା ୨୦୨୫ରେ ସଂସ୍କାର ଆସିବ । ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏ.ଏନ୍.ଏମ୍ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି । ଏହା ବ୍ୟତିତ ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନୁଯାୟୀ ୭ଟି ନୂଆ ନର୍ସିଂ କଲେଜ ଖୋଲିବାର ପ୍ରକ୍ରିୟା ଜାରି ରହିଛି । ଏହା ମୂଳ ସ୍ତରର ପଦବୀ ଅର୍ଥାତ ଟ୍ୟୁଟର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ ଉଚ୍ଚପଦବୀକୁ ପଦୋନ୍ନତି ପାଇଁ ନିୟମ ଧାର୍ଯ୍ୟ କରିବ । ଓଡିଶା ନର୍ସିଂ ଶିକ୍ଷା ସେବା କ୍ୟାଡର ଅଧୀନରେ ଖାଲିପଡ଼ିଥିବା ମୂଳ ଟ୍ୟୁଟର ପଦବୀ ଗୁଡ଼ିକୁ ପୂରଣ କରାଯାଇପାରିବ । ଯୋଗ୍ୟ ଅଧ୍ୟାପକମାନଙ୍କୁ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଇ ପାରିବ ।

0 Comments