କେନ୍ଦୁଝର- ଏବେ ଦେଶରେ ଭୋଟ ଚୋରୀ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନକୁ ଟାର୍ଗେଟ କରିଛନ୍ତି। ଦେଶର ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ଉପରେ ସମଗ୍ର ଦେଶ ନଜର ରଖିଛି। ବିଭିନ୍ନ ରାଜ୍ୟରେ ଅଚାନକ ଭୋଟର ସଂଖ୍ୟା ବଢ଼ିଯିବା ଗୋଟେ ଗୋଟେ ଘରେ ଶହ ଶହ ଲୋକ ରହିବା ଘର ଠିକଣା ବଦଳରେ ଶୂନ ଲେଖିବା ଜଣେ ଜଣେ ଭୋଟରଙ୍କ ନାମ ଅନେକ ସ୍ଥାନରେ ରହିବା ପରି ସଂଗୀନ ଆରୋପ ରାହୁଲ ଗାନ୍ଧୀ ରଖିଛନ୍ତି। ନିର୍ବାଚନ କମିଶନଙ୍କୁ  ଶ୍ରୀ ରାହୁଲ ଗାନ୍ଧୀ ପାଞ୍ଚଟି ପ୍ରଶ୍ନ କରିଛନ୍ତି ଯଥା ୧- ନିର୍ବାଚନ ଆୟୋଗ କାହିଁକି ସଠିକ ଭୋଟର ଲିଷ୍ଟ ବିରୋଧୀ ଦଳଙ୍କୁ ଦେଉନାହାନ୍ତି ? ଡିଜିଟାଲ ରିଡ଼େବଲ ଫର୍ମାଟରେ ଦେଲେ ସବୁ ଜନତା ଏହାକୁ ପଢ଼ିପାରନ୍ତେ। ୨- ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ଭିଡ଼ିଓଗ୍ରାଫି ନିର୍ବାଚନ କମିଶନ ସରଂକ୍ଷିତ ରଖିବା ବଦଳରେ କାହିଁକି ନଷ୍ଟ କଲେ ଉତ୍ତର ଦିଅନ୍ତୁ। ୩- ଭୋଟର ଲିଷ୍ଟରେ ବ୍ୟାପକ ଜାଲିଆତି କିପରି ହେଲା ନିର୍ବାଚନ ଆୟୋଗ ଉତ୍ତର ରଖିବାକୁ ରାହୁଲ କହିଛନ୍ତି।୪- ନିର୍ବାଚନ କମିଶନ କାହିଁକି ବିରୋଧୀ ଦଳ ନେତା ମାନଙ୍କୁ ଧମକ ଦେଉଛନ୍ତି। ୫- ଇଲେକସନ କମିଶନ ବିଜେପି ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି ଏହାର କାରଣ କ'ଣ ? ତେଣୁ ଆଜି ଜିଲ୍ଲା କଂଗ୍ରେସ ଭବନରେ ରାହୁଲ ଗାନ୍ଧୀଙ୍କ ପଦକ୍ଷେପ ଜଣାଇ ଦେବାକୁ ଏଥିସହ ନିର୍ବାଚନ ଆୟୋଗର ବେନିୟମ କାର୍ଯ୍ୟର ପରଦାଫାଶ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜିକା ସଂଗୀତା ସିଂହଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ

ମୁଖ୍ୟ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରୀ ଭାବେ ଯୋଗ ଦେଇଥିଲା ବେଳେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ଓ ଅଭିଯୋଗ ଉପରେ ଏଠାରେ ଡିଜିଟାଲ ପରଦାରେ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ସଂଗୀତା ସିଂହ ଦେଶରେ ଅରାଜକତା ଚାଲିଛି ବିରୋଧୀ ଦଳର ମାନ୍ୟବର ନେତା ରାହୁଲ ଗାନ୍ଧୀ ଏହା ବିରୁଦ୍ଧରେ ଲଢେଇ କରୁଛନ୍ତି ତେଣୁ ତାଙ୍କ ହାତ ମୁଠାକୁ ଟାଣ କରି ଗଣତନ୍ତ୍ରକୁ ରକ୍ଷା ଲାଗି ସେ ଆହ୍ୱାନ ଦେଇଥିଲେ। ଶ୍ରୀ ଲାଗୁରୀ ଏପରି ମାରାତ୍ମକ ଅଭିଯୋଗ ପାଇବା ପରେ କିପରି ଭାରତର ନିର୍ବାଚନ ଆୟୋଗ ଚୁପ ବସିଛନ୍ତି ପ୍ରଶ୍ନ କରିଥିଲେ। ଆଜି ଶହ ଶହ ସାଂସଦ ପାର୍ଲାମେଣ୍ଟରୁ ପଦଯାତ୍ରା କରି ନିର୍ବାଚନ ଆୟୋଗ ଯାଉଛନ୍ତି ବିରୋଧୀ ଦଳ ନେତା ତେଣୁ କୋର୍ଟ କଚେରୀ ଯାଇ ଭୋଟ ଚୋରୀ ରୋକିବେନି ବରଂ ରାଜନୈତିକ ଉପାୟରେ ଏହାର ସମାଧାନ କରିବେ ସେ କହିଛନ୍ତି। ସେହିପରି ମୋହନ ଚରଣ ପରିଡ଼ା କେନ୍ଦୁଝର ଜିଲ୍ଲାରେ ଭୋଟର ଲିଷ୍ଟରେ ବ୍ୟାପକ ଜାଲିଆତି ଥିବାର ସମ୍ଭାବନା ଥିବାର କଥା କହିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ସାହୁ, ସୁଢଳ କୁମାର ସେଠୀ, ଉତ୍ତମ କୁମାର ସାହୁ, ଐତିହ୍ୟ ଦିବ୍ୟ ସିଂହ, ରତ୍ନାକର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ ଆଦି ଉପସ୍ଥିତ ଥିଲେ। ଆଗାମୀ ଦିନରେ ଦେଶର ପରିସ୍ଥିତି ନେଇ ନିର୍ବାଚନ ଆୟୋଗ ନିରପେକ୍ଷ ନହେଲେ ବିରୋଧୀ ଦଳ ପ୍ରତି ଦମନ ମୂଳକ ମନୋଭାବ ପରିହାର ନକଲେ ଜିଲ୍ଲାରେ ମଧ୍ୟ ଆନ୍ଦୋଳନ ହୋଇପାରେ ତେଣୁ ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ କାମନା କରି ସେମାନଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରାଯାଇଥିଲା।

0 Comments