ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ । କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ବା ଆଇଏସଏମ ଅଧୀନରେ ଆଉ ୪ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଡ଼ିଶାରେ ପ୍ରତିଷ୍ଠା ହେବ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ । ୪୦୦୯ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଏହି ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ।
ଭାରତରେ ଅନୁକୂଳ ପରିବେଶ କାରଣରୁ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ସଂଖ୍ୟା ବୃଦ୍ଧି ପାଉଛି । ୬ଟି ଅନୁମୋଦିତ ପ୍ରକଳ୍ପ ପୂର୍ବରୁ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି । କେନ୍ଦ୍ର କ୍ୟାବିନେଟରେ ଆଜି ଅନୁମୋଦିତ ହୋଇଛି ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ୪,୬୦୦ କୋଟି ଟଙ୍କା ବ୍ୟୟରେ
ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ ଏହି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ଓଡ଼ିଶାରେ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ପ୍ରସ୍ତାବ ସିକସେମ ବା ଏସଆଇସିଏସଇଏମ, କଣ୍ଟିନେଣ୍ଟାଲ ଡିଭାଇସ ଇଣ୍ଡିଆ ପ୍ରାଇଭେଟଲିମିଟେଡ ବା ସିଡିଆଇଏଲ, ଥ୍ରୀଡି ଗ୍ଲାସ ସଲ୍ୟୁସନ୍ସ ଇନକର୍ପୋରେଟେଡ ଏବଂ ଆଡଭାନ୍ସଡ ସିଷ୍ଟମ ଇନ ପ୍ୟାକେଜ ବା ଏସଆଇପି ଟେକ୍ନୋଲୋଜିରୁ ମିଳିଛି ।
୪ଟି ଅନୁମୋଦିତ ପ୍ରସ୍ତାବ ଦ୍ୱାରା ପ୍ରାୟ ୪,୬୦୦ କୋଟି ଟଙ୍କାର ନିବେଶରେ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ୨୦୩୪ କୁଶଳୀ ପେସାଦାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଇଲେକ୍ଟ୍ରୋନିକ ଉତ୍ପାଦନ ପରିଦୃଶ୍ୟ ସକ୍ରିୟ ହୋଇପାରିବ । ଯାହା ଫଳରେ ଅନେକ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଏହି ୪ଟି ପ୍ରକଳ୍ପ ଅନୁମୋଦନ ସହିତ ଆଇଏସଏମ ଅଧୀନରେ ମୋଟ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ଦ୍ୱାରା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭବ ହୋଇଛି । ଦୂରସଞ୍ଚାର, ଯାନବାହନ, ଡାଟାସେଣ୍ଟର, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଶିଳ୍ପ ଇଲେକ୍ଟ୍ରୋନିକ୍ସରେ ସେମିକଣ୍ଡକ୍ଟରର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି ୪ଟି ନୂତନ ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ଏହା ଦେଶର ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟ ହେବ । ଉନ୍ନତ ପ୍ୟାକେଜିଂ ସେମିକଣ୍ଡକ୍ଟର ଶିଳ୍ପରେ ପରବର୍ତ୍ତୀ ପିଢ଼ିର ଦକ୍ଷତା ବିକାଶ କରିବ । ଏହି ପ୍ରକଳ୍ପରେ ପ୍ୟାସିଭ ଏବଂ ସିଲିକନ ବ୍ରିଜ ସହିତ ଗ୍ଲାସ ଇଣ୍ଟରପୋଜର ଏବଂ ଥ୍ରୀଡି ହେଟେରୋଜେନିୟସ ଇଣ୍ଟିଗ୍ରେସନ ବା ଥ୍ରୀଡିଏଚଆଇ ମଡ୍ୟୁଲ ସମେତ ବିଭିନ୍ନ ପ୍ରକାରର ଉନ୍ନତ ପ୍ରଯୁକ୍ତିବିଦ୍ୟା ରହିବ । ଏହି ୟୁନିଟ୍ର ଯୋଜନାବଦ୍ଧ କ୍ଷମତା ପ୍ରାୟ ୬୯,୬୦୦ ଗ୍ଲାସ ପ୍ୟାନେଲ ସବଷ୍ଟ୍ରେଟ, ୫୦ ନିୟୁତ ଆସେମ୍ବଲ ୟୁନିଟ ଏବଂ ବାର୍ଷିକ ୧୩,୨୦୦ ଥ୍ରୀଡିଏଚଆଇ ମଡ୍ୟୁଲ ହେବ ।
ଏହି ପ୍ରକଳ୍ପଗୁଡ଼ିକ ଦେଶରେ ବିକଶିତ ହେଉଥିବା ବିଶ୍ୱସ୍ତରୀୟ ଚିପ ଡିଜାଇନ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ଯାହାକି ସରକାରଙ୍କ ଦ୍ୱାରା ୨୭୮ଟି ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟଅପ ପାଇଁ ପ୍ରଦାନ କରାଯାଇଥିବା ଡିଜାଇନ୍ ଭିତ୍ତିଭୂମି ସହାୟତା ଦ୍ୱାରା ସମର୍ଥିତ । ଏବେ ସୁଦ୍ଧା ୬୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଲାଭ ଉଠାଇ ସାରିଛନ୍ତି ।