ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟପାଳ ଚୌଧୁରୀ ସତ୍ୟପାଲ ମଲିକ । କିଡନୀ ଇନ୍ଫେକ୍ସନକୁ ନେଇ ତାଙ୍କୁ ଗତ ମେ' 11 ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ (RML) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି(ମଙ
ଗଳବାର) ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଜମ୍ମୁ-କାଶ୍ମୀର, ଗୋଆ, ବାହାର ଓ ମେଘାଳୟ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ ସତ୍ୟପାଲ ମଲିକ ।
ଆରଏମଏଲ ହସ୍ପିଟାଲ ଡାକ୍ତରଙ୍କ କହିବା ଅନୁସାରେ, ସତ୍ୟପାଲ ମଲିକଙ୍କ 2ଟି ଯାକ କିଡନୀ ଖରାପ ଥିଲା । ତାଙ୍କର ଡାଏଲିସିସ୍ କରାଯାଉଥିଲା । ପରେ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହେବା ପରେ ତାଙ୍କୁ ICUରୁ ଆରଏମଏଲର ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୁଣିଥରେ ନର୍ସିଂହୋମର ICUକୁ ସ୍ଥାନାନ୍ତର କରାଯାଇଥିଲା । ନେଫ୍ରୋଲେଜି ବିଭାଗର ଡାକ୍ତର ଲଲିତଙ୍କ ତତ୍ତ୍ବାବଧାନରେ ସତ୍ୟପାଲ ମଲିକଙ୍କ ଚିକିତ୍ସା କରାଯାଉଥିଲା ।
ସତ୍ୟପାଲ ମଲିକ 1960ରେ, ରାମ ମନୋହର ଲୋହିଆଙ୍କ ସମାଜବାଦୀ ଚିନ୍ତାଧାରରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । 1966ରୁ 1967 ମସିହା ପର୍ଯ୍ୟନ୍ତ ସେ ମେରଟ କଲେଜ ଛାତ୍ର ସଂଗଠନ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ପରେ 1968-69 ମସିହା ପର୍ଯ୍ୟନ୍ତ ମେରଟ ବିଶ୍ବବିଦ୍ୟାଳୟ (ବର୍ତ୍ତମାନ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ)ର ଛାତ୍ର ସଂଘ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।
1974 ମସିହାରେ, ଭାରତୀୟ କ୍ରାନ୍ତି ଦଳରୁ ଟିକେଟ ପାଇ ଉତ୍ତରପ୍ରଦେଶ ବାଗପତ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ ହୋଇଥିଲେ । 1975 ମସିହାରେ, ତାଙ୍କୁ ନବଗଠିତ 'ଲୋକ ଦଳ'ର ଅଲ୍ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ ଭାବରେ ଦାୟିତ୍ବ ଦିଆଯାଇଥିଲା ।