କେନ୍ଦୁଝର- ଦେଶରେ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଭୋଟର ଲିଷ୍ଟରେ କିପରି ଗଡ଼ବଡ଼ ଅଛି ଲୋକଲୋଚନକୁ ଆଣି ହଇଚଇ ସୃଷ୍ଟି କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଭାରତର ନିର୍ବାଚନ ଆୟୋଗକୁ ବିହାର ଭୋଟର ଲିଷ୍ଟରୁ କାଟି ଥିବା ୬୫ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଲେଣି। ରାହୁଲ ଗାନ୍ଧୀ ଭୋଟ ଚୋରୀ ନେଇ ରଣ ହୁଙ୍କାର ଦେଲା ବେଳେ କଂଗ୍ରେସ ଦଳ ଉତ୍ସାହିତ ହୋଇ ଉଠି ଦେଶ ବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛି। ତେଣୁ ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଠିକ୍ ସ୍ଵାଧୀନତା ଦିବସର ଅବ୍ୟବହିତି ସନ୍ଧ୍ୟାରେ ଏକ ମଶାଲ ରାଲି କରାଯାଇଥିଲା । ପ୍ରଥମେ ଆଜି ସନ୍ଧ୍ୟାରେ କଂଗ୍ରେସ ଭବନରେ ଜିଲ୍ଲାର ସବୁ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ଏକ ବୈଠକ କରି ତୃଣମୂଳ ସ୍ତରରେ ସାଙ୍ଗଠନିକ ଶକ୍ତି ବୃଦ୍ଧି ଲାଗି ଆଲୋଚନା ହୋଇ ସବୁ ବ୍ଲକ ଓ ନଗରପାଳିକାରେ ମିଟିଂ କରିବାକୁ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଇଥିଲା। ବୈଠକରେ ଭୋଟ ଚୋରୀ ଓ ରାଜ୍ୟରେ ନାରୀ ନିର୍ଯ୍ୟାତନା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ହତ୍ୟା ସହ ଡିମ୍ବୋ ଅଂଚଳରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଭର୍ଚ୍ଛନ
ା କରାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ନାରୀ ହତ୍ୟା ଅପରାଧୀଙ୍କ ମେଳରେ ଅଛନ୍ତି ତେଣୁ ପୋଲିସ କମଜୋର ହେଲା ବେଳେ ଦୁଷ୍କର୍ମକାରୀ ଉତ୍ପାତ କରୁଛନ୍ତି ବୋଲି ଆରୋପ ଆସିଥିଲା। ତେବେ ସଭା ପରେ କଂଗ୍ରେସ ଭବନରୁ ମଶାଲ ରାଲୀ ‘ଭୋଟ ଚୋର ଗାଦି ଛାଡ଼' ନାରା ଦେଇ କଲେକ୍ଟର ଅଫିସ ସାମ୍ନା ଦେଇ ବଜାର ପରିକ୍ରମା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏଥିରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ସାମିଲ ଥିଲେ। ଆଜି ଏହି ସଭା ଓ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ ସଂଯୋଜିକା ସଂଗୀତା ସିଂହଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା। ଏଥିରେ ପୂର୍ବତନ ସାଂସଦ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂହ ଲାଗୁରୀ, ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ,ମୋହନ ଚରଣ ପରିଡ଼ା,ବିନୋଦ ବିହାରୀ ନାୟକ, ଶୁଭମ ରାଜ, ନିର୍ମଳ ନାୟକ,ଲକ୍ଷ୍ମଣ ଦାଶ,ପ୍ରତିଭା ମଞ୍ଜରୀ ନାୟକ,ବସନ୍ତ ଦାସ, ଦିଲୀପ କୁମାର ସାହୁ,ଐତିହ୍ୟ ଦିବ୍ୟ ସିଂହ,ବୀରଭଦ୍ର ମହାନ୍ତ, ଉତ୍ତମ କୁମାର ସାହୁ,ସୁଢଳ କୁମାର ସେଠୀ, ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ସନ୍ତୋଷ ସାହୁ,ଅମିତ ମହାନ୍ତ, ଇନ୍ତେଖାବ ଆଲାମ, ଚିତ୍ତରଞ୍ଜନ ରାଉତ, ସୋନାଲି ମାରାଣ୍ଡି,ଆକବର ହୁସେନ,ଅଫଜାଲ ଅଲି,ରାମ ଚନ୍ଦ୍ର ମହାରଣା, ଘନଶ୍ୟାମ ପାତ୍ର, ଦୀନେଶ ରାଉତ ଆଦି ଅନେକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।