ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଆଉ 12 ଟି ନୂଆ ଏନଏସି । 7 ଜିଲ୍ଲାରେ 12ଟି ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

12ଟି ନୂଆ ଏନଏସି ଗଠନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରସ୍ତାବ ଜାରି ହୋଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 7 ଜିଲ୍ଲାରେ 12ଟି ନୂଆ ଏନଏସି ଗଠନ ପାଇଁ ବିଜ୍ଞପ୍ତି । ଅନୁଗୁଳ, ସମ୍ବଲପୁର, ବାଲେଶ୍ବର, ମୟୁରଭଞ୍ଜ, ରାୟଗଡା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଗଠନ ହେବ ନୂଆ ଏନଏସି । ଅନୁଗୁଳ ଜିଲ୍ଲାର ପାଳଲହଡା, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ବାଲେଶ୍ଵର ଜିଲ୍ଲାର ସିମୁଳିଆ ଏବଂ ବସ୍ତା, ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡା ଜିଲ୍ଲାର ବିଷମକଟକ, ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲୀ ଏବଂ ଭଦ୍ରକର ତିହିଡି ଏବଂ ଧୁସୁରିରେ ଏନଏସି ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ନୂଆ ଏନଏସି ଘୋଷଣା କରିଛନ୍ତି ।

ନୂଆ ସରକାର ଆସିବା ପରେ 2024 ନଭେମ୍ବର ୬ ତାରିଖରେ ନୂଆ ମ୍ୟୁନିସିପାଲିଟି ଓ ଏନଏସି ଗଠନ ପାଇଁ ତଥ୍ୟ ମାଗିଥିଲା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ରାଜ୍ୟରେ 57ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ଗଠନ ଲାଗି ନବୀନ ସରକାର 2024 ମସିହା ମାର୍ଚ୍ଚ 13 ତାରିଖରେ ଘୋଷଣା କରିଥିଲେ । ସରକାର ତଲବ କରିଥିବା ତଥ୍ୟ ଜିଲ୍ଲାପାଳଙ୍କ ପାଖରୁ ଆସିନଥିବାରୁ ପ୍ରସ୍ତାବ ବାସ୍ତବ ରୂପ ନେବାରେ ବିଳମ୍ବ ହେଉଥିଲା । ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ 23 ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଥିଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ସେହିପରି 5ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ସମ୍ପୃକ୍ତ 5 ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ ।

0 Comments