ଢେଙ୍କାନାଳ: ଆଜି ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମହିମା ଧର୍ମର ମୂଳପୀଠ
ଜୋରନ୍ଦା ସ୍ଥିତ ଅଲେଖ ମହିମା ଗାଦି ଚଳଅଞ୍ଚଳ ହୋଇଉଠିଛି । ଦେଶର କୋଣ ଅନୁକୋଣରୁ ମହିମା ଧର୍ମାବଲମ୍ବୀ, ସାଧୁ ଓ ସନ୍ଥମାନେ ଢେଙ୍କାନାଳର ଜୋରନ୍ଦା ମହିମା ଗାଦିରେ ପହଞ୍ଚିବାରେ ଲାଗିଛନ୍ତି । ଆଜି ସନ୍ଧ୍ୟାରେ ଝାଡଦ୍ବୀପ ଉଠିଛି । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛନ୍ତି । ମହିମା ଗାଦି ଧାନ ପରିଚାଳନା ସଂସ୍ଥା ‘ସତ୍ୟ ମହିମା ମ୍ୟାନେଜମେଣ୍ଟ କମିଟି’ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ବର୍ଷ ପରି ମାଘ ଶୁକ୍ଳ ଚତୁର୍ଦ୍ଦଶୀଠାରୁ ଆରମ୍ଭ ଏହି ବିଶ୍ବପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ । ଚଳିତଥର ଏହି ମେଳା 150ତମ ବର୍ଷରେ ପହଞ୍ଚିଛି । ମହିମା ଧର୍ମାବଲମ୍ବୀଙ୍କ ପାଇଁ ଏହା ସବୁଠୁ ବଡ଼ପର୍ବ ହୋଇଥାଏ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଜାଳିବା ସହ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁଃପାର୍ଶ୍ଵରେ ବିଶାଳକାୟ ଝଡଦ୍ବୀପ ଜାଳିଥାଆନ୍ତି ମହିମା ସନ୍ଥମାନେ ।
ଚଳିତବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ପ୍ରତିବର୍ଷ ପରି ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ଲାଗିଛି । ଏକାଧିକ ଯାତ୍ରାପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରିବେ । ରାଜ୍ଯ ତଥା ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଢେଙ୍କାନାଳରେ ପହଞ୍ଚିବାରେ ଲାଗିଛନ୍ତି । ଏବେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଜାରି ରହିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାଘ ସପ୍ତମୀଠୁ ଖଣ୍ଡିଗିରି ମାଘ ମେଳା ଆରମ୍ଭ ହୋଇଛି । ଆଜି ମାଘ ଶୁକ୍ଳପକ୍ଷ ଚତୁର୍ଦଶୀଠାରୁ ଜୋରନ୍ଦା ମାଘ ମେଳା ମଧ୍ୟ ଆରମ୍ଭ ହେଉଛି । ଭିଡ ନିୟନ୍ତ୍ରଣ ପାଇଁ ଢେଙ୍କାନାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।