ଢେଙ୍କାନାଳ: ପୁଣି ଶିକାରୀ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ । ଶିକାରୀଙ୍କ ଗୁଳିରେ ଟଳିଲେ ଜଣେ ଫରେଷ୍ଟ ଗାର୍ଡ଼ । ମୃତ ଫରେଷ୍ଟ ଗାର୍ଡ଼ ହେଉଛନ୍ତି ପ୍ରହଲ୍ଲାଦ ପ୍ରଧାନ । ଶିକାରୀଙ୍କ ଆଡ୍ଡା ଉପରେ ଚଢ଼ାଉ ବେଳେ ଏଭଳି ଅଘଟଣ ଘଟଥିବା ସୂଚନା ମଳିଛି । ଏହି ଘଟଣାରେ ୪ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବନ୍ଧୁକ ଜବତ କରିଛି ବନ ବିଭାଗ ।

ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି,"ଶିକାରୀ ଆଡ୍ଡା ଉପରେ ଚଢ଼ାଉ ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଥିଲେ । ଉଭୟ ଧସ୍ତାଧସ୍ତି ହୋଇଥିବା ବେଳେ ଶିକାର

ୀଙ୍କ ଗୁଳିରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମୃତ ବନ କର୍ମଚାରୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କୋଇ ଫରେଷ୍ଟ ସେକ୍ସନର ଇନଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ । ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାଜ ମୋହନ ପୁର ତଣ୍ଟିଚିରା ଜଙ୍ଗଲରେ ଗତ ବିଳମ୍ବିତ ରାତି (ଶୁକ୍ରବାର) ପ୍ରାୟ ସାଢ଼େ ୨ଟା ସମୟରେ ଘଟିଛି ଏହି ଅଘଟଣ । ଶିକାରୀଙ୍କ ଗୁଳିରେ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ପ୍ରହଲ୍ଲାଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଘର କାମାକ୍ଷାନଗର ଜିରିଡ଼ାମାଳି ଅଞ୍ଚଳରେ । ଏହି ଘଟଣାରେ ବନ ବିଭାଗ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରାଯାଇଛି । "

ଶିକାରୀମାନେ ଶିକାର ପାଇଁ ଯୋଜନା କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା । ଫଳରେ ଗତ ବିଳମ୍ବିତ ରାତିରେ ହିନ୍ଦୋଳ ବନାଞ୍ଚଳ କୋଇ ଫରେଷ୍ଟ ସେକ୍ସନର ଇନଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ତାଙ୍କ କର୍ମଚାରୀଙ୍କୁ ନେଇ ଯାଇଥିଲେ । କୋଇ ଜଙ୍ଗଲର ତଣ୍ଟିଚିରା ନିକଟରେ ଥିବା ଏକ କାଜୁ ଫାର୍ମ ଉପରେ ଚଢ଼ାଉ କରିଥିବା ବେଳେ ଶିକାରୀମାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲେ । ଏପରିକି ଶିକାରୀ ତାଙ୍କ ଉପରକୁ ଗୁଳି ମାଡ଼ କରିଥିବାରୁ ତାଙ୍କର ମୃତ୍ୟୁ ହୋଉଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ କାଜୁ ସଂଗ୍ରହ ଆଳରେ ନରସିଂହପୁର, ଆଠଗଡ଼ ଆଦି ବିଭିନ୍ନ ଅଞ୍ଚଳରୁ ଶିକାରୀମାନେ ଆସି ଏହି କାଜୁ ଫାର୍ମରେ ଶିକାର ପାଇଁ ଯୋଜନା କରି ବନ୍ୟଜନ୍ତୁ ଶିକାର କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଗିରଫ ୪ ଜଣ ଶିକାରୀଙ୍କ ମଧ୍ୟରେ ସ୍ଥାନୀୟ ତଣ୍ଟିଚିରା ଗ୍ରାମର ଦୁଇଜଣ ଓ ନରସିଂହପୁର ଅଞ୍ଚଳର ୨ ଜଣ ପେଷାଦାର ଶିକାରୀ ଥିବା ଜଣାପଡିଛି । ଘଟଣା ସମୟରେ ୭ରୁ ୮ ଜଣ ଶିକାରୀ ଥିବାବେଳେ ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ପ୍ରାଣହାନୀ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏଥିସହ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

0 Comments