ଭୁବନେଶ୍ବର: ମୋହନ ସରକାରକୁ ପୂରିଛି ୧୦୦ ଦିନ । ପ୍ରଥମ ଶହେ ଦିନରେ କଣ ରହିଛି ବିଜେପି ସରକାରର ଉପଲବ୍ଧି ? ରାଜ୍ୟବାସୀଙ୍କୁ ତାର ପୂରା ହିସାବ ଦେଇଛି ନୂଆ ସରକାର । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହନ, ପୁଞ୍ଜିନିବେଶ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ବ ଦେଇଛନ୍ତି । ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ 45 ହଜାର କୋଟି ଟଙ୍କାର ୧୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ( HLCA)ର ୩୬ତମ ବୈଠକ । ବୈଠକରେ 39,271.50 କୋଟି ଟଙ୍କାର 12ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରତ୍ୟକ୍ଷ ଭାବେ 17,098 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇଏସଡିଏମ, ଇସ୍ପାତ, ଧାତବ ଆନୁଷଙ୍ଗିକ, ରସାୟନ, ସିମେଣ୍ଟ, ଗ୍ରୀନ ଆମୋନିଆ, ରବର ଓ ପ୍ଲାଷ୍ଟିକ କ୍ଷେତ୍ରରେ ଆସିଥିବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପଗୁଡ଼ିକ ରାଜ୍ୟର ୮ଟି ଜିଲ୍ଲାରେ ସ୍ଥାପନ ହେବ । ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ମଧ୍ୟରେ ରହିଛି ଟରେଣ୍ଟ ଗ୍ରୀନ ହାଇଡ୍ରୋଜେନ ପ୍ରାଇଭେଟର 10,260 କୋଟି ଟଙ୍କାର ପ୍ରକଳ୍ପ । କମ୍ପାନି ଗଞ୍ଜାମରେ ଏକ 4,30,000 MTର ଗ୍ରୀନ ଆମୋନିଆ କାରଖାନା ନିର୍ମାଣ କରିବ । ଏହାଦ୍ୱାରା 1,558 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଜିନ୍ଦଲ ଇଣ୍ଡିଆ ଲିମିଟେଡ ଢେଙ୍କାନାଳରେ 5,691 କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ 570 ନିଯୁକ୍ତି ସୁଯୋଗ ରହିଛି । ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ସମ୍ବଲପୁରରେ 3,500 କୋଟି ଟଙ୍କା ନିବେଶରେ ଇସ୍ପାତ ଆନୁଷଙ୍ଗିକ କମ୍ପ୍ଲେକ୍ସ ସ୍ଥାପନ କରିବ । ସେଥିରେ ପ୍ରାୟ 2,000 ନିଯୁକ୍ତି ସୁଯୋଗ ରହିଛି । ସିଲେକ୍ଟ୍ରିକ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ ପକ୍ଷରୁ ଖୋର୍ଦ୍ଧାରେ 3,034 କୋଟି ଟଙ୍କା ନିବେଶ ହେବ । ଏଥିରେ 215 ନିଯୁକ୍ତି ସୁଯୋଗ ରହିବ । ସିଲିକନ କାର୍ବାଇଡ ଡିଭାଇସ କାରଖାନା ସ୍ଥାପନ କରିବ । ଖୋର୍ଦ୍ଧ

ାରେ କେନିସ ସର୍କିଟ୍ସ ଇଣ୍ଡିଆ ପକ୍ଷରୁ 1395 କୋଟି ନିବେଶରେ ଉତ୍ପାଦନ ୟୁନିଟ ସ୍ଥାପନ ହେବ । ଏଥିରେ 1033 ନିଯୁକ୍ତି ସୁଯୋଗ ରହିଛି । ହେଟେରୋଜେନସ ମଧ୍ୟ ଖୋର୍ଦ୍ଧାରେ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ 1925 କୋଟି ଟଙ୍କା ନିବେଶ କରିବ । ଏଥିରେ ପ୍ରାୟ 1072 ନିଯୁକ୍ତି ସୁଯୋଗ ରହିଛି ।

ଇଲେକ୍ଟ୍ରୋ‌ଷ୍ଟିଲ କାଷ୍ଟିଙ୍ଗ୍ସ ‌ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ନିବେଶ କରିବ । ପ୍ରାୟ ୩୦୦୦ ନିଯୁକ୍ତି ସୃଷ୍ଟି କରିବା ଲାଗି 5 ଲକ୍ଷ ମିଲିୟନ ଟନ (MT) ଡକ୍ଟାଇଲ ଆଇରନ ପାଇପ କାରଖାନା ସ୍ଥାପନ ହେବ । ଶ୍ୟାମ ଷ୍ଟିଲ ମାନୁଫାକ୍ଚରିଂ ତରଫରୁ କେନ୍ଦୁଝରରେ 2510 କୋଟି ଟଙ୍କା ନିବେଶ କରାଯିବ । ଏହି 0.5 ଏମଟିପିଏର ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ ଦ୍ୱାରା 3640 ଜଣଙ୍କୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ଜଗତସିଂହପୁରରେ ଇପିଗ୍ରାଲ ଲିମିଟେଡ ପକ୍ଷରୁ 2800 କୋଟି ଟଙ୍କାର ରାସାୟନିକ ଶିଳ୍ପ ସ୍ଥାପନ ହେବ । ଏଥିରେ 900 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିବ । ସେମିତି ଜଗତସିଂହପୁରରେ ଲକ୍ଷ୍ମୀ ଅର୍ଗାନିକ 2555 କୋଟି ଟଙ୍କା ନିବେଶରେ ରାସାୟନିକ ଶିଳ୍ପ ପ୍ରତିଷ୍ଠା କରିବ । ସେଥିରେ ହଜାରେ ନିଯୁକ୍ତି ସୁଯୋଗ ରହିଛି । କଟକରେ ଅମ୍ବୁଜା କଙ୍କ୍ରିଟ ନର୍ଥ ପକ୍ଷରୁ 1400 କୋଟି ଟଙ୍କା ନିବେଶରେ 410 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବାଲେଶ୍ବରରେ ଡାଲମିଆ ଭାରତ ରିଫ୍ରାକ୍ଟରିଜ ପକ୍ଷରୁ 1200 କୋଟି ଟଙ୍କା ନିବେଶରେ ଟାୟାର, ଟ୍ୟୁବ ଓ ଫ୍ଲାପ୍‌ସ କାରଖାନା ସ୍ଥାପନ ହେବ । ଏଥିରେ 1700 ନିଯୁକ୍ତି ସୁଯୋଗ ପାଇବେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାର, ପ୍ରଥମ 100 ଦିନରେ 45 ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛନ୍ତି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ 36 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷରେ ମୋହନ ସରକାର 2.5 ଲକ୍ଷ କୋଟି ଟଙ୍କାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ବର୍ଷକ ପିଛା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାର 90 ପ୍ରତିଶତ ଅର୍ଥାତ 44,682.92 କୋଟି ଟଙ୍କା ଲକ୍ଷ୍ୟକୁ ସରକାର ପ୍ରଥମ 100 ଦିନରେ ପୂରଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଦାବି, ଆଗାମୀ ୨୫ ବର୍ଷରେ ଭାରତର ବିକାଶରେ ଇଞ୍ଜିନ ବନିବ ଓଡ଼ିଶା ।

0 Comments