ବରଗଡ: କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର । ଚାଷୀଙ୍କ ଖାତାକୁ ଗଲା 800 ଟଙ୍କା ଲେଖାଏଁ ସବସିଡି । ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ ସବସିଡି ବଣ୍ଟନ କରିଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(MSP) 3100 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଦଳ । କ୍ଷମତାକୁ ଆସିବାର 6 ମାସ ପରେ ମୋହନ ମାଝୀ ସରକାର ଆଉ ଏକ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍
ୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସ୍ଥାନୀୟ ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ 2300 ଟଙ୍କା ଏମଏସପି ସହିତ ରାଜ୍ୟ ସରକାରଙ୍କର 800 ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ।
ସୋହେଲାରେ ବିଶାଳ ଚାଷୀ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଆଜି ଦିନଟି ଇତିହାସରେ ସ୍ବର୍ଣ୍ଣାକ୍ଷର ହୋଇ ଲିପିବଦ୍ଧ ହୋଇ ରହିବ । ଓଡିଶା ପାଇଁ ଏକ ଐତିହାସିକ ଦିନ । ଆଜି ଆପଣଙ୍କ କଠୋର ପରିଶ୍ରମର ଫଳ ଦେବାକୁ ସରକାର ସୁଦୂର ଭୁବନେଶ୍ବରରୁ ସୋହେଲାରେ ଆସିକି ପହଞ୍ଚିଛନ୍ତି । ଚାଷୀଙ୍କୁ ସମ୍ମାନ ଜଣାଇ, ସରକାରଙ୍କ ପ୍ରତିଶ୍ରୁତି ପାଳନ କରି କେନ୍ଦ୍ର ସରକାରଙ୍କ ଏମସପି 2300 ଟଙ୍କା ଇନପୁଟ ସହାୟତା ବାବଦକୁ ଅଧିକ 800 ଟଙ୍କା ପ୍ରଦାନର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅଛି ।’
ଶୁଭାରମ୍ଭ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାଷୀ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘2016 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ବିଣ୍ଟାଲ ପିଛା ଶହେ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ । ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ରରେ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ, ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ, ଚାଷୀଙ୍କୁ ସଶକ୍ତକରଣ କରିବା ପାଇଁ କ୍ବିଣ୍ଟାଇ ପିଛା 800 ଟଙ୍କା ଅଧିକ ଇନପୁଟ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା । ଆମେ ପ୍ରତିଶ୍ରୁତି ପୂରଣ କରିଛୁ ।’ତେବେ ଏହି ବିଶାଳ ଚାଷୀ ସମାବେଶରେ ହଜାର ହଜାର ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ ।