ନୂଆଦିଲ୍ଲୀ: ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ, ଦେଶର ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ତାଙ୍କୁ 452 ଭୋଟ୍ ମିଳିଛି। ସେହିପରି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି 300 ଭୋଟ୍। ବିଜେଡିର 7 ଜଣଙ୍କ ସମେତ 13 ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। 15ଟି ଭୋଟ୍ ନାକଚ ହୋଇଛି।
ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ଏବଂ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନରେ ଉଭୟ ଲୋକସଭା ଏ
ଂ ରାଜ୍ୟସଭାରୁ ମୋଟ୍ 782 ଜଣ ସାଂସଦ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ।
ସମ୍ବିଧାନର ଧାରା 66(1) ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ଏକ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍ ଗ୍ରହଣ ଆଜି (ମଙ୍ଗଳବାର) ସକାଳ 10ଟାରେ ସଂସଦ ଭବନରେ ଆରମ୍ଭ ହୋଇ ସନ୍ଧ୍ୟା 5ଟା ଯାଏଁ ଚାଲିଥିଲା। ଧାରା 324 ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ (ECI) ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପରିଚାଳନା କରିଥିଲେ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଇଲେକ୍ଟୋରାଲ୍ କଲେଜର ସଦସ୍ୟମାନେ ସେମାନଙ୍କର ମତାଧିକାର ପ୍ରୟୋଗ କରିଥିଲେ। ଯେଉଁଥିରେ 96 ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ସନ୍ଧ୍ୟା 6ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ମୋଟ 768 ଜଣ ସାଂସଦ ମତଦାନ କରିଥିଲେ। 13 ଜଣ ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। ଶାସକ ଏନଡିଏର 427 ଜଣ ସାଂସଦ ମତଦାନ କରିଥିଲେ, ଯେତେବେଳେ ବିରୋଧୀ ଦଳର ସମସ୍ତ 315 ଜଣ ସାଂସଦ ମତଦାନରେ ଅଂଶଗ୍ରହଣ କରିଥିଲେ। ମତଦାନରେ ଅଂଶଗ୍ରହଣ କରିନଥିବା ସାଂସଦଙ୍କ ମଧ୍ୟରେ ବିଜେଡିର 7 ଜଣ, ବିଆରଏସର 4 ଜଣ, ଅକାଳୀ ଦଳର ଜଣେ ଏବଂ ଜଣେ ସ୍ୱାଧୀନ ସାଂସଦ ଅଛନ୍ତି।
ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପାଇଁ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି, "ସାର୍ବଜନୀନ ଜୀବନରେ ଆପଣଙ୍କର ସମୃଦ୍ଧ ଅଭିଜ୍ଞତା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଏକ ସଫଳ ଏବଂ ପ୍ରଭାବଶାଳୀ କାର୍ଯ୍ୟକାଳ ପାଇଁ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି," ବୋଲି ସେ ଉଲ୍ଲେଖ କରିଛନ୍ତି।
ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Xରେ ଏକ ପୋଷ୍ଟ କରି ମୋଦି ଉଲ୍ଲେଖ କରିଛନ୍ତି ଯେ, "ତାଙ୍କର ଜୀବନ ସର୍ବଦା ସମାଜର ସେବା, ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ। ମୁଁ ନିଶ୍ଚିତ ଯେ ସେ ଜଣେ ଉତ୍କୃଷ୍ଟ ଉପରାଷ୍ଟ୍ରପତି ହେବେ, ଯିଏ ଆମର ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରିବେ ଏବଂ ସଂସଦୀୟ ଆଲୋଚନାକୁ ବୃଦ୍ଧି କରିବେ।"