ପାଟନା (ବିହାର): ଏବେ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ବିହାର । ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଆସନ୍ତାକାଲି (ନଭେମ୍ବର 11) ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ସୀମାବର୍ତ୍ତୀ 20 ଜିଲ୍ଲାର 122ଟି ଆସନରେ ମତସାବ୍ୟସ୍ତ କରିବେ ଭୋଟର । 243 ଆସନ ବିଶିଷ୍ଟ ବିହାର ବିଧାନସଭାରେ, ନଭେମ୍ବର 6 ତାରିଖରେ ପ୍ରଥମ ପର୍ଯ୍ୟାୟରେ 121 ବିଧାନସଭା କ୍ଷେତ୍ରରେ ମତଦାନ ସରିଥିଲା । ନଭେମ୍ବର 14 ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ମହିଳା ଏବଂ ଯୁବ ଭୋଟର ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ହେଉଛି।
ବିହାରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥଗୁଡ଼କୁ ଯାତ୍ରା ଆରମ୍ଭ କରିଛନ୍ତି ପୋଲିଂ ଟିମ୍ । ଏଥିପାଇଁ ନିର୍ବାଚନ କମିଶନ
କ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୋଲିଂ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀମାନେ ଇଭିଏମ ମେସିନ ଏବଂ ଆବଶ୍ୟକ ସାମଗ୍ରୀ ସହିତ ନିଜ ନିଜ ଭୋଟ କେନ୍ଦ୍ରକୁ ଯାତ୍ରା କରିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ବ୍ଯାପକ ପୋଲିସ ଏବଂ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ବିଶେଷ କରି ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ବିହାର- ନେପାଳ ସୀମା ସମେତ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଥିବା ସୀମାବର୍ତ୍ତୀ 20 ଜିଲ୍ଲାର 122ଟି ଆସନରେ ମଙ୍ଗଳବାର (ନଭେମ୍ବର 11) ଭୋଟ ପଡିବ । ଶାନ୍ତି ଶୃଙ୍ଖଳାର ବଜାୟ ରଖିବା ପାଇଁ ସଶସ୍ତ୍ର ସୀମା ବଳ ସୀମାରେ ନିୟୋଜିତ ହୋଇଛନ୍ତି । 45ହଜାର 399 ପୋଲିଂ ବୁଥରେ ଭୋଟ ଦେବେ ଜନତା । ଏହାମଧ୍ୟରୁ 5326ଟି ସହରାଞ୍ଚଳ ହୋଇଥିବା ବେଳେ 40073 ଗ୍ରାମାଞ୍ଚଳରେ । 595ଟି ବୁଥ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଯାଉଛି । 91ଟି ବୁଥ୍ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ପ୍ରତ୍ୟେକ ବୁଥରୁ ଓ୍ବେବକାଷ୍ଟ କରାଯିବା ବ୍ୟବସ୍ଥା ହୋଇଛି ।
ଆସନ୍ତା 14 ତାରିଖରେ ଭୋଟ ଗଣତି ସହିତ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । ସରକାର ଗଢିବା ପାଇଁ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ପୂରା ବଳ ଖଟାଇ ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ 1302 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୟା, ବାଗଲପୁର, ମଧୁବନୀ, କଟିହାର, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ ସମେତ 20 ଜିଲ୍ଲାରେ ମତଦାନ ହେବ । 122 ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 101 ସାଧାରଣ, 19 ଅନୁସୂଚିତ ଜାତି (ଏସସି) ଏବଂ 2 ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ।
ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ମୁଖ୍ୟମନ୍ତ୍ରୀ ଫେସ ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସଓ୍ବାନଙ୍କ ସମେତ ଷ୍ଟାର ପ୍ରଚାରକମାନଙ୍କର ଘନ ଘନ ପ୍ରଚାର, ଆରୋପ ପ୍ରତ୍ୟାରୋପ, ପ୍ରତିଶ୍ରୁତି ବର୍ଷା ସରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ବେ 71 ନିର୍ବାଚନୀ ରାଲି କରି ଜନତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ପ୍ରଚାର କାର୍ଯ୍ୟ ଶେଷ ହେବା ସହ ଆସନ୍ତାକାଲି (ନଭେମ୍ବର 11) ଉପରେ ରହିଛି ସମସ୍ତଙ୍କ ନଜର ।