ଭୁବନେଶ୍ବର: ଓଡ଼ିଶାର ଯୁବବର୍ଗ ଦେଶର ସଫଳତାର କାହାଣୀ ଲେଖିବେ । ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଯୁବଶକ୍ତିଙ୍କୁ ସଶକ୍ତ ଓ ସମୃଦ୍ଧ କରିବେ ରାଜ୍ୟ ସରକାର । ଏଥିପାଇଁ ଓଡ଼ିଶାର ଯୁବକଙ୍କ ପାଇଁ 10 ବର୍ଷରେ ଏକ ଲକ୍ଷ କୋଟି ଟଙ୍କାର ଅଲଗା ବଜେଟ ପ୍ରସ୍ତୁତ ହେବ । ଏହା ସହିତ ବିଜେଡି ଇସ୍ତାହାରରେ ଅନ୍ୟ ବର୍ଗଙ୍କ ପାଇଁ କଣ ସବୁ ସୁବିଧା ରହିଛି, ସେନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଜେଡିର ଇସ୍ତାହାର କମିଟିର ଆବାହକ ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ଇସ୍ତାହାରରେ ଏହା ଘୋଷଣା କରିଥିବା ବେଳେ ଆଜି ତାକୁ ନେଇ ଇସ୍ତାହାର କମିଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅମର କହିଛନ୍ତି, "ଆମର ଯୁବକ ହିଁ ସଫଳତାର କାହାଣୀ ଲେଖିବେ । ଓଡିଶା ଏକ ନମ୍ବର ରାଜ୍ୟର ଭବିଷ୍ୟତ ଲେଖିବା ପାଇଁ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରାଯିବ । ଓଡିଶାର ଯୁବକମାନଙ୍କ ପାଇଁ 10 ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ ରଖାଯିବ । ଏହି ଯୁବ ବଜେଟ ଜଳବାୟୁ ଏବଂ ଜେଣ୍ଡର ବଜେଟ ଭଳି ବିଧାନସଭାରେ ଉପସ୍ଥାପିତ ହେବ । ଯୁବକଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି

ଙ୍କା ଖର୍ଚ୍ଚ ହେବ । ବିଶ୍ବରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ।"

ସେ ଆହୁରି କହିଛନ୍ତି, "ନୂଆ ଓ ମ୍ୟାଜିକ କାର୍ଡ ଦ୍ବାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ । ନୂଆ ଓ ଛାତ୍ରବୃତ୍ତି ବାଳିକାଙ୍କ ପାଇଁ ବାର୍ଷିକ 14 ହଜାର ଏବଂ ବାଳକଙ୍କ ପାଇଁ ବାର୍ଷିକ 12 ହଜାରକୁ ବୃଦ୍ଧି କରାଯିବ । ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମରେ କଲେଜରେ ପଢୁଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ । ଆସନ୍ତା 5 ବର୍ଷରେ 2 ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ । ସ୍ବୟଂ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ 2 ଲକ୍ଷକୁ ବୃଦ୍ଧି କରାଯିବ । ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ବବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।"

ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଓଡିଶାର ଅଭିବୃଦ୍ଧିରେ ମହିଳାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ସେମାନଙ୍କୁ ବିନା ସୁଧରେ 15 ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଆସନ୍ତା 5 ବର୍ଷ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀକୁ 1.5 ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍‌ ହାସଲ କରି 2500 କୋଟି ଟଙ୍କାର ସୁଧ ଫେରାଇ ଦିଆଯିବ । ସ୍ବୟଂ ସହାୟକ ଗୋଷ୍ଠୀକୁ ଆଗାମୀ 10 ବର୍ଷରେ 20,000 କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । ମହିଳା ଉଦ୍ୟୋଗୀଙ୍କୁ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ । ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ ଏବଂ ଆଶାଙ୍କୁ BSKY କଭରେଜ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ମିଳିବ ।"

ସେହିପରି ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ 100 କୋଟି ଟଙ୍କା ବ୍ୟୟ ହେବ । ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ଟଙ୍କାଟିଏ ବି ମିଳିନାହିଁ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି ଜୋର ଧରିବ । ହୋ, ମୁଣ୍ଡାରୀ, ଭୂମିଜଙ୍କୁ ସମ୍ବିଧାନର ୮ମ କାର୍ଯ୍ୟସୂଚୀରେ ସ୍ଥାନ ଦେବା ପାଇଁ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ ହେବ । ପଶ୍ଚିମ ଓଡ଼ିଶା ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ 25 କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଓଡ଼ିଶାର ପ୍ରସିଦ୍ଧ ବ୍ୟକ୍ତିତ୍ବ ସହିତ ସଂଯୁକ୍ତ ଶହେଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ । ପଦ୍ମଶ୍ରୀ, ପଦ୍ମଭୂଷଣ ପୁରସ୍କାର ପରି ରାଜ୍ୟରେ ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଆଯିବ ।"

0 Comments