ତପନ ବେହେରା ( ଘଟଗାଁ) ଶେଷ ହେଲା ବର୍ଷକର ଅପେକ୍ଷା। ମିଳିଛି ମା'ଙ୍କ ଅପରୂପ ଦର୍ଶନ । ୯ ଦିନ ଧରି ଚାଲିବ ଏହି ମହାଆୟୋଜନ। ଏହାକୁ ନେଇ ସବୁରି ମନରେ ଆନନ୍ଦ, ଉଲ୍ଲାସ ଆଉ ଅସୁମାରୀ ଉତ୍ସାହ । ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା’ ତାରିଣୀ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ୮୯ତମ ଚଇତି ପର୍ବ । ଦୁଃଖ ହାରିଣୀ, ସଙ୍କଟ ନାଶିନୀ, ନଡ଼ିଆ ରାଣୀ  ଜିଲ୍ଲାର ଅଧୃଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ସକାଳୁ ମା ଙ୍କ ଶାବରୀ ସଂସ୍କୃତି ଅନୁସାରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ ମା ତାରିଣୀ। ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ବର୍ଷ ଠାରୁ ଆହୁରି ଆଡମ୍ବରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚଇତି ପର୍ବର ସୁପରିଚାଳନା ପାଇଁ  ବୈଠକ ହୋଇଥିଲା।

ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ସ୍ଥିର

କୃତ ହୋଇଛି। ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିକଟସ୍ଥ ବସୁଆଁ ଗ୍ରାମର ବାସିନ୍ଦାବଜରଙ୍ଗ ଅଗ୍ରୱାଲା ମଙ୍ଗଳବାର ଘଟଗାଁ ମା’ ତାରିଣୀଙ୍କ ଉଦ୍ଦେଶ୍ୟରେ ୫୦ ଲକ୍ଷ ଟଙ୍କାରେ ତିଆରି ଏକ ସ୍ପର୍ଣ୍ଣ ମୁକୁଟ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ସୁନାରେ ତିଆରି ଅନ୍ୟ ଆଭୂଷଣ ଯଥା- ଆଖୁ ପତା, ନାକ ଗୁଣା, କାନଫୁଲ, ମଥା ବିଦି, ମା'ଙ୍କ ଅଙ୍ଗବସ ସହି ସମସ୍ତ ପୂଜକଙ୍କ ଲାଗି ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଚଇତି ପର୍ବର ୯ ଦିନରେ  ଦାତବ୍ୟ ବ୍ୟକ୍ତିମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରିବେ। ଚଳିତ ଥର ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଇଣ୍ଡିଆ ଗେଟ୍ ଭଳି ୬ ଗୋଟି ତୋରଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

0 Comments