ମାଲକାନଗିରି: ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶାଳ ଜନ ସମାବେଶ । ମାଲକାନଗିରିର ମୋଟୁରେ ପୋଲାଭରମ ପ୍ରକଳ୍ପକୁ ତୀବ୍ର ବିରୋଧ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ତିନି ରାଜ୍ୟର ନେତା ।
ପୂର୍ବରୁ ଘୋଷିତ ପୋଲାଭରମ ପ୍ରକଳ୍ପ ବିରୋଧ ଜନ ସମାବେଶ ଆଜି ମୋଟୁଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ତିନି ରାଜ୍ୟର ନେତାଙ୍କ ସହ ଓଡିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଆଜି(ଶୁକ୍ରବାର) ସକାଳୁ ଶତାଧିକ ମହିଳା ସିଲେରୁ ଓ ସାବେରୀ ନଦୀର ମିଳନସ୍ଥଳୀ ମୁଗି ପଏଣ୍ଟରୁ ପ୍ରଥମେ ଜଳ ସଂଗ୍ରହ କରି ମୋଟୁ ଠାରେ ପହଞ୍ଚିଥିଲେ। ସେଠାରେ ଆଣଥିବା ଜଳକୁ କୁଣ୍ଡରେ ପକାଇ ପ୍ରତିବାଦ କରିଥିଲେ । ପରେ ଏକ ବିଶାଳ ଜନ ସମାବେଶର ଆୟୋଜନ ହୋଇଥିଲା । ଏହି ଜନସମାବେଶରେ ବିଜେଡି ସମେତ ଆମ ଆଦମୀ ପାର୍ଟି, ସିପିଆଇ, ସିପିଏମ, ବିଏସପି ସମେତ ସମସ୍ତ ସଂଗଠନ ସାମିଲ ଥିଲେ । ସମାବେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକଙ୍କୁ ଉଦବୋଧନ ଦେଇଥିଲେ।
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା
size: 20px;">ନବୀନ ପଟ୍ଟନାୟକ
କହିଛନ୍ତି, "ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ । ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ । ତେଣୁ ଏହି ପ୍ରକଳ୍ପକୁ ବିଜୁ ଜନତା ଦଳ ବିରୋଧ କରି ଆସୁଛି । ଏଥିପାଇଁ ସୁପ୍ରିମକୋର୍ଟରେ ମଧ୍ୟ ମୋକଦ୍ଦମା କରାଯାଇଛି । ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି । ବିଜୁ ଜନତା ଦଳର ବିରୋଧ ଯୋଗୁଁ ପ୍ରକଳ୍ପ କାମ ଧିମେଇ ଯାଇଥିଲା । ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ଯେଉଁ କ୍ଷତି ହେବ, ସେ ସମ୍ପର୍କରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛୁ । କିନ୍ତୁ ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରକଳ୍ପକୁ ସମର୍ଥନ କରୁଛି । ବିଜେପି ପାଇଁ ଦଳର ସ୍ୱାର୍ଥ ଆଦିବାସୀଙ୍କ ସ୍ୱାର୍ଥ ଠାରୁ ବଡ ହୋଇଯାଇଛି ।
ବିଜେଡି ନେତା ଭୃଗୁ ବକ୍ସି ପାତ୍ର କହିଛନ୍ତି, "ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ପାଇଁ ଚିନ୍ତା ନାହିଁ । ପୋଲାଭରମ ଯୋଗୁ ଏହି ଅଞ୍ଚଳର ଆଦିବାସୀମାନେ ପ୍ରଭାବିତ ହେବେ । ତେଣୁ ଆମେ ଏହି ପ୍ରକଳ୍ପକୁ ଘୋର ବିରୋଧ କରୁଛୁ ।" ଏହି ସମାବେଶରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିଜେଡିର ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ସମେତ ଛତିଶଗଡ, ଆନ୍ଧ୍ର ଓ ତେଲେଙ୍ଗାନାର ନେତାମାନେ ଯୋଗ ଦେଇ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ନିର୍ମାଣରେ ବିବାଦ ରହିଥିବାରୁ ଗୋଦାବରୀ ୱାଟର ଡିସପ୍ୟୁଟ ଟ୍ରିବୁନାଲ ଏହି କେସର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଗତ ୧୯୮୦ ମସିହାରେ ପୋଲାଭରମ ପ୍ରକଳ୍ପର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବା ସହ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଜଳ ଧାରଣ ରହିବ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ୨୦୦୬ ମସିହାରେ ସିଡବ୍ଲୁସି ପ୍ରକଳ୍ପର ଢାଞ୍ଚାରେ ପରିବର୍ତ୍ତନ କରି ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ ଜଳ ଧାରଣ କ୍ଷମତାକୁ ବଢାଇ ଦେଇଥିଲେ। ଏଥିରେ କୌଣସି ରାଜ୍ୟର ମତାମତ ନିଆଯାଇନଥିଲା। ତେବେ ଏହି ବୃଦ୍ଧି ଯୋଗୁଁ ଓଡିଶାର ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳବନ୍ଦୀ ହେବ ବୋଲି ଆଶଙ୍କା କରାଯାଉଛି । ଆନ୍ଧ୍ର, ଓଡିଶା ଏବଂ ଛତିଶଗଡର ୨୭୬ ଗ୍ରାମ ପାଣିରେ ବୁଡିବା ସହ ୯ ହଜାରୁ ଉର୍ଦ୍ଧ୍ବ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।