ମାଲକାନଗିରି: ମାଲକାନଗିରି ବିଚ୍ଛିନାଞ୍ଚଳ ଦାୟିତ୍ବ ଥିବା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ଠୁଳ ଅଭିଯୋଗରେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ ମହାପାତ୍ରଙ୍କ ଘର ସମେତ ଅନ୍ୟ 7ଟି ସ୍ଥାନରେ ଚଢ଼ାଉ ଜାରି । ଚଢାଉ ବେଳେ ସରକାରୀ ବାବୁଙ୍କ ଘରୁ ମିଳିଛି ବଣ୍ଡଲ ବଣ୍ଡଲ ଟଙ୍କା । ବର୍ତ୍ତମାନ ସୁଧା 1 କୋଟି 97 ଲକ୍ଷ ନଗଦ ମିଳିଥିବା ବେଳେ ମିଳିଛି ଦାମୀ ପ୍ଲଟ । ଯାହାକୁ ଦେଖି ଭିଜିଲାନ୍ସ ତାଜୁବ ।
ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ ମହାପାତ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି । ପୈତୃକ ଘର, ଅଫିସ ସମେତ ସମ୍ପର୍କିୟଙ୍କ ଘରେ ଚାଲିଛି ଭିଜିଲାନ୍ସର ରେଡ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜୟପୁରର ଅନୁମତି କ୍ରମେ ସରକାରୀ ବାବୁଙ୍କ 7ଟି ଲୋକେସନରେ ଥିବା ଘର ଉପରେ ରେଡ ଜାରି ରହିଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ, କଟକ, ଭୁବନେଶ୍ୱର, ମାଲକାନଗିରି ଓ କୋରାପୁଟରେ ଚାଲିଛି ରେଡ । 2 ଜଣ ଅତିରିକ୍ତ ଏସପି ଓ 4 ଡିଏସପିଙ୍କ ନେତୃତ୍ବରେ ଚାଲିଛି ମାର
ାଥନ ରେଡ କରାଯାଉଛି । କୋରାପୁଟ ଜୟପୁରରେ ଥିବା ଏକ ତିନି ମହଲା କୋଠା ସମେତ, ମାଲକାନଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ବିଶ୍ବଜିତ ମଣ୍ଡଲ ଓ ମାଲକାନଗିରିର ଠିକା କର୍ମଚାରୀ ଅମିୟ କାନ୍ତ ସାହୁଙ୍କ ଘରେ ମଧ୍ୟ ଚାଲିଛି ରେଡ । ଏହା ସହିତ ସାନ୍ତୁନୁ ମହାପାତ୍ରଙ୍କ ଅଫିସ ଚାମ୍ବର ସମେତ କଟକ ବାଲିସାହି ସ୍ଥିତ ନିଜ ପୈତୃକ ଘର ଓ ଭୀମଟାଙ୍ଗି ମାଉସି ବୋର୍ଡ କଲୋନୀ ଭୁବନେଶ୍ୱରର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୟପୁରରେ 6000 ବର୍ଗ ଫୁଟର ବହୁତଳ ପ୍ରାସାଦ, ଭୁବନେଶ୍ବର ଓ ଜୟପୁରରେ 4ଟି ଦାମୀ ପ୍ଲଟ, ନଗଦ 1 କୋଟି 97 ଲକ୍ଷ ଟଙ୍କା, 300 ଗ୍ରାମ ସୁନା ଅଳଙ୍କାର, 1 ଚାରି ଚକିଆ, 2ଟି ମୋଟର ସାଇକେଲ, ବ୍ୟାଙ୍କ ପାସବୁକ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଛି ।
ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରୁ ଏତେ ଗୁଡ଼ିଏ ଟଙ୍କା ଠାବ ପରେ ଏନେଇ ତାଙ୍କର ଘର ଆସବାପତ୍ର ଗହଣା ଓ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । କେତେ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ସେ ଠୁଳ କରିଛନ୍ତି ଖୋଳତାଡ କରୁଛି ଭିଜିଲାନ୍ସ ।