ରାୟଗଡ଼ା: ଆସୁଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ଏଥିପାଇଁ ରାୟଗଡ଼ା କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଆଜି ରାୟଗଡ଼ାର ଏକ ହୋଟେଲରେ

ିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲାକାଙ୍କ ନେତୃତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସବିଶେଷ ସୂଚନା ଦିଆଯାଇଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଶାହାନବାଜ ଚୌଧୁରୀଙ୍କ ସୂଚନା ଅନୁସାରେ ଏହି ସମାବେଶ ପାଇଁ ରାହୁଲ ଗାନ୍ଧୀ ୩ ତାରିଖ ଦିନ ସକାଳ ୧୧ଟା ସମୟରେ ହେଲିକପ୍ଟର ଯୋଗେ ରାୟଗଡ଼ା ପହଞ୍ଚିବେ । ଏହାପରେ ସ୍ଥାନୀୟ ଜିଆଇଏସିଆର୍‌ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍‌ ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଡଃ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ । ସେହିପରି ଏହି ଶୋଭାରେ କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ସୂଚନା ଦେଇଛନ୍ତି ।

ସେହିପରି ସେହିଦିନ ରାହୁଲ ଗାନ୍ଧୀ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଇବେ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଲୋକେ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବା ସହ ରାଜ୍ୟରେ ଏକାକୀ କଂଗ୍ରେସ ସରକାର ଗଠନ କରିବାକୁ ସହାୟକ ହେବେ ବୋଲି କଂଗ୍ରେସ ନେତା ଶାହାନବାଜ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସାଧାରଣ ସଂପାଦକ ରବୀନ୍ଦ୍ର ଡାଲଭେ, ପିସିସି ସାଧାରଣ ସଂପାଦକ ଦୁର୍ଗପ୍ରସାଦ ପଣ୍ଡା, ଆପଲସ୍ବାମୀ କାଡ୍ରାକାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

0 Comments