ରାୟଗଡ଼ା: ପୂର୍ବ ଶତ୍ରୁତାରୁ ଜଘନ୍ୟ କାଣ୍ଡ । ସାମାନ୍ୟ କଥାକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କଲେ ପଡୋଶୀ । ସେପଟେ ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ ପରେ ଅଭିଯୁକ

ତମାନଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନ ଅନ୍ତର୍ଗତ ମୋଇଲିଗୁଡା ଗ୍ରାମର ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସୁବେର ନାଏକ । ମହିଳା ଜଣଙ୍କ ହେଉଛନ୍ତି ଦିନାମଣି ନାଏକ । ମୃତକଙ୍କ ସ୍ବାମୀ ସୁବେର ନାଏକ କରିଥିବା ଅଭିଯୋଗ ଅନୁସାରେ, ପୂର୍ବରୁ ତାଙ୍କ ପଡୋଶୀଙ୍କ ସହ ତାଙ୍କର ଝଗଡ଼ା ଲାଗି ରହିଥିଲା । ଗତକାଲି (ଶନିବାର) ରାତିରେ ସେ କୌଣସି କାମରେ ଟିକିରି ଯାଇ ଫେରିବା ସମୟରେ ତାଙ୍କ ସ୍ତ୍ରୀ ଘର ବାରଣ୍ଡାରେ ବସିଥିଲା । ପୂର୍ବ ଝଗଡ଼ାକୁ କେନ୍ଦ୍ର କରି ଗ୍ରାମର ଧନମଣି ନାଏକ, ଭାବି ନାଏକ, ପ୍ରେମିକା ନାଏକ, ସୋନାଲି ନାଏକ, ଜୀବନ ନାଏକ, ଯୁଧିଷ୍ଠିର ନାଏକ ଓ ବୁଧଦେବ ନାଏକ ମିଶି ସୁବେରଙ୍କ ସହ ଝଗଡା କରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଦିନାମଣି ଏହାକୁ ବିରୋଧ କରିବାରୁ ତାଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତ ଆକ୍ରମଣ କରିଥିଲେ ପଡୋଶୀ । ଫଳରେ ଘଟଣାସ୍ଥଳରେ ଦିନାମଣି ଅଚେତ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦିନାମଣିଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସୁବେର ଟିକିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗ ଘୋଟଣସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଜଡିତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ ଟିକିରି ଥାନାରେ ଅଟକ ରଖାଯାଇଥିଲା । ଆଜି (ରବିବାର) ସକାଳୁ ଉତ୍କଳ ହସ୍ପିଟାଲରେ ଥିବା ମୃତଦେହକୁ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ । ଅନ୍ୟପଟେ ଘୋଟଣାସ୍ଥଳକୁ ସାଇନ୍‌ଟିଫିକ ଟିମ ପହଞ୍ଚି ତଦନ୍ତ କରି ଫେରିଯାଇଛଥିବା ଜଣାପଡ଼ିଛି ।

0 Comments