ଭୁବନେଶ୍ୱର: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ କଂଗ୍ରେସ ସମେତ ଅନ୍ୟ 8ଟି ରାଜନୈତିକ ଦଳ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲେ । ସକାଳ 6ରୁ ସନ୍ଧ୍ୟା 6ଟା, ପର୍ଯ୍ୟନ୍ତ 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଆଜି ସକାଳୁ ସକାଳୁ ବନ୍ଦକୁ ସଫଳ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ନେତା, କର୍ମୀଙ୍କ ସମେତ ସିପିଆଇ, ସିପିଆଇଏମଙ୍କ ସମେତ ଅନ୍ୟ 5ଟି ରାଜନୈତିକ ଦଳର କର୍ମୀ । ଚକ୍ ଅଖ ଜାମ ପାଇଁ ରାସ୍ତାରେ ଠାଏ ଠାଏ ସ୍ଥାନରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ କଂଗ୍ରେସ କର୍ମୀ । ଏହା ସହିତ ପିକେଟିଂ କରି ରାସ୍ତା ଜାମ କରିବା ସହିତ ରାସ୍ତାରେ ଯାଉଥିବା ଯାନ ବାହାନ ଅଟକାଇଥିଲେ । ଚକୋଲେଟ୍ ଏବଂ ଗୋଲାପ ଫୁଲ ଦେଇ କାର, ବାଇକ୍ ଅଟକାଇ ବନ୍ଦରେ ସାମିଲ ହେବା ପାଇଁ ଅପିଲ୍ କରିଥିଲେ କଂଗ୍ରେସ କର୍ମୀ

ତେବେ ସାରା ରାଜ୍ୟରେ ଆଜି ଓଡିଶା ବନ୍ଦ ସଫଳ ହୋଇଛି । ରାସ୍ତାରେ ଗଡିନି ବଡ ବଡ ଗାଡି । ବସ୍ ଟ୍ରକ ଚକ ଅଖ ସବୁ ଜାମ । ଏପଟେ ରାଜଧାନୀ ଭୁବନେଶ୍ୱରରେ ବନ୍ଦର ତାତି ଦେଖିବାକୁ ମିଳିଥିଲା । ଖାଁ ଖାଁ ହୋଇଯାଇଥିଲା ସମ୍ପୂର୍ଣ୍ଣ ରାଜଧାନୀ । ଏହା ସହିତ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ଲୋକସେବା ଭବନ ଘେରାଉ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହିତ ଧସ୍ତାଧସ୍ତି ହେବା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ପୋଲିସ ପକ୍ଷରୁ ମଧ୍ୟ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ସମେତ ଅନେକ ବଡ ବଡ ନେତା ଏବଂ କର୍ମୀଙ୍କୁ ଗିରଫ କରାଯାଇଛି ।

କଂଗ୍ରେସ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହିତ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦିନ ତମାମ ବନ୍ଦକୁ ସଫଳ ପାଇଁ ରାଜରାସ୍ତାରେ କସରତ କରିଥିଲା । ତେବେ ବନ୍ଦରେ ଜରୁରୀକାଳୀନ ସେବା ଖୋଲା ରହିଥିଲେ ହେଁ ଗାଡି ମଟର ଚଳାଚଳ ନକରିବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଏୟାର ପୋର୍ଟ, ରେଲଓ୍ବେ ଷ୍ଟେସନ, ବସଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ଫସି ରହିଥିବା ବେଳେ କିଛି ଲୋକ ରାସ୍ତାରେ ଚାଲି ଚାଲି ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରି ନାକେଦମ ହୋଇଛନ୍ତି । ଏପଟେ ରାସ୍ତାରେ ବିଭିନ୍ନ ସ୍ଥାନରେ ଯାତ୍ରୀଙ୍କୁ ଅଟକାଇଥିଲେ କଂଗ୍ରେସ କର୍ମୀ । ଗାଡି ଆଗରେ ଶୋଇ ପଡି ରାସ୍ତା ରୋକିବା ସହିତ ଲୋକଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଦୋକାନ ବଜାର ମଧ୍ୟ ଅନେକ ସ୍ଥାନରେ ବନ୍ଦ କରିଥିଲେ କଂଗ୍ରେସ କର୍ମୀ ।

କଂଗ୍ରେସ ପକ୍ଷରୁ ସକାଳ 6 ରୁ ସଂଧ୍ୟା 6 ଟା ଯାଏଁ ଓଡିଶା ବନ୍ଦ । ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ମୃତ ଛାତ୍ରୀକୁ ନ୍ୟାୟ ଦେବା ପାଇଁ ବନ୍ଦ ଡାକରା ଦେଇଛି କଂଗ୍ରେସ । ଟ୍ବିନ୍ ସିଟି ସମେତ ସାରା ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ରେଳ ରୋକ କରିଛନ୍ତି କଂଗ୍ରେସ କର୍ମୀ । ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ସବୁଠି ସ୍କୁଲ, କଲେଜ, ଅଫିସ ବନ୍ଦ ଦେଖିବାକୁ ମିଳିଥିଲା ।

0 Comments