ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । କମିଶନଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ପତ୍ର ଅଗଷ୍ଟ 21 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ । ଅଗଷ୍ଟ ୨୨ରେ ନାମାଙ୍କନ ଯାଞ୍ଚ କରାଯିବ । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୫ ରଖାଯାଇଛି । ସେପ୍ଟେମ୍ବର ୯ ତାରିଖ ସକାଳ ୧୦ଟାରୁ ୫ଟା ଯାଏ ଭୋଟ ଗ୍ରହଣ କରାଯିବ ।
ଜଗଦୀପ ଧନଖଡ଼ଙ୍କ ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଥିଲା ଏବଂ ଏଥିପାଇଁ ନିର୍ବାଚନ ଜରୁରୀ ହୋଇ ପଡ଼ିଥିଲା । ପୂର୍ବରୁ ଭାରତର ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କଲେଜକୁ ଚୂଡ଼ାନ୍ତ କରିଥିଲେ। ସୂଚନା ଥାଉ କି, ଭାରତର ଉପରାଷ୍ଟ୍ରପତି ଏକ ନିର୍ବାଚନ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି । ଏହି କଲେଜରେ ରାଜ୍ୟସଭାର ନିର୍ବାଚିତ ସଦସ୍ୟ, ମନୋନୀତ ସଦସ୍ୟ ଏବଂ ଲୋକସଭାର ନିର୍ବାଚିତ ସଦସ୍ୟ ସାମିଲ ହୋଇଥାନ୍ତି ।
ସମ୍ବିଧାନର ଧାରା 68 ର ଉପଧାରା (2) ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ ମୃତ୍ୟୁ, ଇସ୍ତଫା କିମ୍ବା ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଏହି ପଦ ଖାଲି ପଡିଲେ ପଦ ପୂରଣ ପାଇଁ ନିର୍ବାଚନ 'ଯେତେଶୀଘ୍ର ସମ୍ଭବ' ଅନୁଷ୍ଠିତ ହେବ। ଖାଲି ପଦ ପୂରଣ ପାଇଁ ନିର୍ବାଚିତ ବ୍ୟକ୍ତି 'ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ପାଞ୍ଚ ବର୍ଷ ପାଇଁ ପୂର୍ଣ୍ଣ କାର୍ଯ୍ୟକାଳ' ଏହି ପଦବୀରେ ରହିବାର ଅଧିକାର ପାଇବେ।