ମୁମ୍ବାଇ: 17 ବର୍ଷ ପୁରୁଣା ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଆସିଛି ଚୂଡାନ୍ତ ରାୟ । ପ୍ରମାଣ ଅଭାବରୁ ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ 7 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଅଭିଯୁକ୍ତଙ୍କୁ ୟୁଏପିଏ, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଅନ୍ୟାନ୍ୟ ଅଭିଯୋଗରୁ ମୁକ୍ତ କରାଯାଇଛି। ବିସ୍ଫୋରଣରେ ମୃତ ଛଅ ଜଣଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସମସ୍ତ ଆହତଙ୍କୁ କ୍ଷତିପୂରଣ ଭାବରେ 50 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

-size: 17px;">NIA କୋର୍ଟ ନିଜ ରାୟରେ ଶୁଣାଇଛନ୍ତି ଯେ, " ଆତଙ୍କବାଦର କୌଣସି ଧର୍ମ ନାହିଁ, କାରଣ କୌଣସି ଧର୍ମ ହିଂସାକୁ ସମର୍ଥନ କରିପାରିବ ନାହିଁ। କେବଳ ଧାରଣା ଏବଂ ନୈତିକ ପ୍ରମାଣ ଉପରେ କୋର୍ଟ କାହାକୁ ଦୋଷୀ ସାବ୍ୟସ୍ତ କରିପାରିବେ ନାହିଁ । ଏଥିପାଇଁ ଦୃଢ଼ ପ୍ରମାଣ ରହିବା ଆବଶ୍ୟକ ।" ତଦନ୍ତ ଏଜେନ୍ସିଗୁଡ଼ିକୁ କୋର୍ଟ ଭର୍ତ୍ସନା କରି କହିଛନ୍ତି ଯେ "ତଦନ୍ତରେ ଅନେକ ବୈଷୟିକ ତ୍ରୁଟି ମିଳିଛି । ଏଜେନ୍ସିଗୁଡ଼ିକ ଅଭିଯୋଗଗୁଡ଼ିକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । କୋର୍ଟ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, ଆହତମାନଙ୍କ ସଂଖ୍ୟା 101 ନୁହଁ ବରଂ କେବଳ 95 ଥିଲେ ଏବଂ କିଛି ଡାକ୍ତରୀ ପ୍ରମାଣପତ୍ରରେ ହେରଫେର ହୋଇଥିଲା । କୋର୍ଟ ଅହୁରି ମଧ୍ୟ କହିଛନ୍ତି, "ଆମେ ଅଭିଯୁକ୍ତ ସୁଧାକର ଚତୁର୍ବେଦୀଙ୍କ ଘରେ ବିସ୍ଫୋରକ ସାମଗ୍ରୀ ରଖିବା ମାମଲାର ତଦନ୍ତ ଆରମ୍ଭ କରିବାକୁ ଏଡିଜି ଏଟିଏସଙ୍କୁ ନିର୍ଦ୍ଦେଶ ଦେଇଛୁ ।"

ଅଭିଯୁକ୍ତଙ୍କ ଓକିଲ ଆଡଭୋକେଟ ରଞ୍ଜିତ ନାୟାର କହିଛନ୍ତି, "ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ମୁଁ ଅଭିଯୁକ୍ତ ନମ୍ବର 11, ସୁଧାକର ଚତୁର୍ବେଦୀଙ୍କ ଓକିଲ ଥିଲି । କୋର୍ଟ କହିଥିଲେ ଯେ ଘଟଣାସ୍ଥଳରୁ ମିଳିଥିବା ମୋବାଇଲ୍ ଫୋନ ଏବଂ ଗାଡ଼ିର ମାଲିକଙ୍କ କୌଣସି ପ୍ରମାଣ ନାହିଁ। ATS ଏହି ମାମଲାର ତଦନ୍ତ କରିଥିଲା। କୋର୍ଟ କହିଥିଲେ ଯେ ଅନୁମତି ବିନା ଫୋନ୍ ଟ୍ୟାପ୍ କରାଯାଇଥିଲା । ସେତେବେଳେ ଏନସିପି-କଂଗ୍ରେସ କ୍ଷମତାରେ ଥିଲେ। ସେମାନଙ୍କୁ ସେମାନଙ୍କର ରାଜନୈତିକ ଫାଇଦା ଉଠାଇବାର ଥିଲା । ଏବେ ସବୁକିଛି ସ୍ପଷ୍ଟ ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ସାକ୍ଷୀ ନାହାନ୍ତି ।"

2008, ସେପ୍ଟେମ୍ବର 29 ତାରିଖରେ ମହାରାଷ୍ଟ୍ର ନାସିକର ମାଲେଗାଓଁ ସହରରେ ବୋମା ବିସ୍ଫୋରଣ ହୋଇଥିଲା । ମସଜିଦ ନିକଟରେ ଏକ ମୋଟର ସାଇକେଲରେ ବନ୍ଧା ହୋଇଥିବା ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 95 ଜଣ ଆହତ ହୋଇଥିଲେ । ଏହା ପରେ ମହାରାଷ୍ଟ୍ର ଏଟିଏସ ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ମୋଟ 7 ଜଣ ଅଭିଯୁକ୍ତ ଥିଲେ ।

0 Comments