ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"

ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମୁଛି । ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ଆଦି ନଦୀରେ ପାଣି କମିବାରେ ଲାଗିଛି । ବର୍ତ୍ତମାନ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । କେନ୍ଦୁଝର ଏବଂ ଅନ୍ୟ କିଛି ଜିଲ୍ଲାରେ ବନ୍ୟା ହୋଇଥିଲେ ମଧ୍ୟ ଏହା

ବିଶେଷ ପ୍ରଭାବ ନାହିଁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକ ସ୍ଥଳେ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ଫ୍ରି କିଚେନର ବ୍ୟବସ୍ଥା କରାଯାଇଛି । ପ୍ରାୟ ୧୦ ହଜାର ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପାଇବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ । ପାଣି ଛାଡିଲେ ଘର ଭଙ୍ଗା ଏବଂ ଗୋ-ସମ୍ପଦର କ୍ଷୟକ୍ଷତି ରିପୋର୍ଟ ମଗାଯିବ । ଯେଉଁ ଗାଁ ଗୁଡ଼ିକରେ ରାସ୍ତା ଖରାପ ହୋଇଯାଇଛି ସେଗୁଡିକ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ପୁନସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପଶୁ ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି ।’

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ୧୭ଟି ଓଡ୍ରାଫ ଓ ୧୩ଟି ଅଗ୍ନିଶମ ଟିମ, ଭଦ୍ରକ ଜିଲ୍ଲାରେ ଗୋଟିଏ NDRF, ଗୋଟିଏ ଓଡ୍ରାଫ ଓ ୧୩ଟି ଅଗ୍ନିଶମ ଟିମ, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ ଓ ୧୪ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନରେ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ ।

0 Comments