ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼। ଏନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଜଣାଇଛନ୍ତି। ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇଛନ୍ତି, ଧନଖଡ଼। ଏଥିସହ ଯଥାଶୀଘ୍ର ତାଙ୍କୁ ଦାୟିତ୍ବ ମୁକ୍ତ କରିବାକୁ ସେ ଅନୁରୋଧ
କରିଛନ୍ତି। 2027 ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବାକି ଥିଲା।
ଚଳିତ ବର୍ଷ ମାର୍ଚ୍ଚ 9 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ, ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ଼। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେଦିନ ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଥିଲା।
ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଥର ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗତ ଶୀତ ଅଧିବେଶନ ବେଳେ ବିରୋଧୀମାନେ ରାଜ୍ୟସଭାରେ ଗୃହକାର୍ଯ୍ୟରେ ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଧନଖଡ଼ଙ୍କ ବିରୋଧରେ ଶାସକ- ବିରୋଧୀ ପକ୍ଷପାତିତା ଅଭିଯୋଗକୁ ପ୍ରସଙ୍ଗ କରିଥିଲେ। କଂଗ୍ରେସ ଏବଂ ଟିଏମସିର ଦୁଇ ଜଣ ବରିଷ୍ଠ ରାଜ୍ୟସଭା ସାଂସଦ ଅଭିଯୋଗ କରିଥିଲେ ଯେ, ଧନଖଡ଼ ଗୃହକୁ ଶାସକ ଦଳର ସାଧନ ଭାବେ ବ୍ୟବହାର କରୁଛନ୍ତି। ଯାହା ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ବିରୋଧୀ ସାଂସଦମାନଙ୍କୁ ଗୃହରେ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଉନାହାନ୍ତି ଅଧ୍ୟକ୍ଷ। ଏପରିକି ସେମାନଙ୍କର ମତାମତକୁ ମଧ୍ୟ ହାଉସ ପ୍ରୋସିଡିଂ ରେକର୍ଡରୁ ବାଦ ଦିଆଯାଉଛି ବୋଲି ତୃଣମୂଳ କଂଗ୍ରେସ ସଦସ୍ୟ ଗମ୍ଭୀର ଅଭିଯୋଗ ଆଣିଥିଲେ।
73 ବର୍ଷୀୟ ଜଗଦ୍ବୀପ ଧନଖଡ ଦେଶର 14ତମ ଉପ-ରାଷ୍ଟ୍ରପତି ଭାବେ 2022 ଅଗଷ୍ଟ ମାସରେ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ 2019ରୁ 2022 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। 2019 ଜୁଲାଇ ମାସରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ରାଜ୍ୟପାଳ ହେବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ। ଜନତା ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି ଧନଖଡ଼।