ଭୁବନେଶ୍ବର/ଅନୁଗୋଳ: ସରକାରୀ ବାବୁଙ୍କ ‘‘ଅପନା ସପନା ମନି ମନି’’ । ଆଉ ଘରେ ଏତେ ମାତ୍ରାରେ ଟଙ୍କା ଯେ ଭିଜିଲାନ୍ସ ଦେଖି ଝରକା ବାଟେ ଅଳିଆ ଫିଙ୍ଗିଲା ଭଳି ଫୋପାଡିଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର RWର ମୁଖ୍ୟ ଇଞ୍ଜିନିୟର ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ । ଖୋଳତାଡ ବେଳେ ଇଞ୍ଜିନିଅର ବାବୁଙ୍କ ଘରୁ 2.51 କୋଟି ଟଙ୍କା ଜବତ ହୋଇଛି । ଏପରିକି କିଛି ସୁନା ହାତ ଘଣ୍ଟା ମଧ୍ୟ ଜବତ ହୋଇଛି । ଚାକିରୀରୁ ଅବସର ନେବାର ଦିନକ ପୂର୍ବରୁ ସରକାରୀ ବାବୁଙ୍କ ଘରେ ଏତେ ଟଙ୍କା ଦେଖି ଛାନିଆଁ ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ଼ ।
ଆଶ୍ଚର୍ଯ୍ୟର କଥା ଯେ ସରକାରୀ ବାବୁ ସେୟାର ମାର୍କେଟରେ ପାଖାପାଖି 2.70 କୋଟି ଟଙ୍କା ନିବେଶ କରିଥିଲେ । ସେହିପରି ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ଦେଢ କୋଟି ଟଙ୍କା ଜମା ରହିଛି । ଅନୁଗୋଳ ଆକ୍ସିସ ବ୍ୟାଙ୍କରେ ପତ୍ନୀଙ୍କ ନାଁରେ ଏକ ଲକର୍ ରହିଛି । କିନ୍ତୁ ସେହି ଲକର୍ରେ କଣ ରହିଛି ତାହାର ଏଯାଏଁ ଖୋଳତାଡ ହୋଇନାହିଁ । ଇଞ୍ଜିନିଅରଙ୍କ ମାରୁତି ସ୍ବିଫ୍ଟ ଗାଡିକୁ ଜବତ କରିଛି ଭିଜିଲାନ୍ସ । ଖବର ଲେଖାଯିବା ସୁଦ୍ଧା ଚଢାଉ ଜାରି ରହିଛି ।
ଭିଜିଲାନ୍ସ ନିର୍ଦେଶକ ଯଶୋବନ୍ତ ଯେଠଓ୍ବା କହିଛନ୍ତି ‘‘କ୍ୟାସ ଆକାରରେ ରଖନ୍ତୁ ବା ଡିଜିଟାଲ ମାଧ୍ଯମରେ ରଖନ୍ତୁ ବା ସେୟାର ମାର୍କେଟରେ ନିବେଶ କରନ୍ତୁ ଅବା ବେନାମି ଆକାଉଣ୍ଟରେ ରଖନ୍ତୁ ଭିଜିଲାନ୍ସ ଜାଲରୁ କେହି ବର୍ତ୍ତି ପାରିବେ ନାହିଁ । ଗତକାଲି ଚଢାଉ ବେଳେ ୟୁପି ନିବାସୀ ସମ୍ବଲପୁରରେ ଆକାଉଣ୍ଟ ଖୋଲିଥିଲେ ସେଭଳି ମାମଲା ମଧ୍ୟ ଧରାପଡିଛି । ଫୋନ ପେ’ ମାଧ୍ୟମରେ ମଧ୍ୟ ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନଙ୍କର ଡିଜିଟାଲ ଫୁଟ୍ ପ୍ରିଣ୍ଟ ମଧ୍ୟ ନେଇ ମଧ୍ୟ ଦୁଇ ଜଣଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛୁ । ଯିଏ ବି ଏଭଳି ଲାଞ୍ଚ ନେଉଥିବେ ବା ନେବାକୁ ପ୍ରୟାସ କରିବେ ଆଗାମୀ ଦିନରେ ଓଡ଼ିଶା ଭିଜିଲ
ାନ୍ସ ନଜରରୁ ବର୍ତ୍ତି ପାରିବେ ନାହିଁ ’’।
ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୁଚନା ମୁତାବକ ବୈକୁଣ୍ଠନାଥ ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରେ ଚଢାଉ ବେଳେ ଝରକା ବାଟେ ପୁଳାପୁଳା ଟଙ୍କା ଫିଙ୍ଗି ଦିଆଯାଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ୱର ସ୍ଥିତ PDN Exotica ରେ ଥିବା ଫ୍ଲାଟରେ କେବଳ ମିଳିଛି ଏକ କୋଟି ଟଙ୍କା । ତା ସହିତ ଅନୁଗୁଳ ସ୍ଥିତ ନିଜ ପୈତୃକ ଘରୁ 1.1କୋଟି ଟଙ୍କା ମଧ୍ୟ ଜବତ ହେଲାଣି । ୮ ଜଣ ଡିଏସପି, ୧୨ ଜଣ ଇନସ୍ପେକ୍ଟର ଓ ୬ ଜଣ ଏଏସଆଇଙ୍କୁ ନେଇ ଭିଜିଲାନ୍ସ ର ଟିମ୍ ମୁଖ୍ୟ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ସାତଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।
ଆଜି ସକାଳୁ ତାଙ୍କ ପେତୃକ ଘର ଅନୁଗୁଳର କରଡଗାଡିଆ ସ୍ଥିତ ଘର ସମେତ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ରେ ଥିବା PDN Exotica ର ଫ୍ଲାଟ୍ ନମ୍ବର .C-102ରୁ ମଧ୍ୟ ପହଂଚି ଭିଜିଲାନ୍ସ ତନାଘନା କରିଛନ୍ତି । ସେହିପରି ପିପିଲିର ସିଉଳାରେ ଥିବା ଏକ ଫ୍ଲାଟରେ ମଧ୍ୟ ଚଢାଉ ଜାରି ରହିଛି। ବୈକୁଣ୍ଠଙ୍କ ପୈତୃକ ଘର ଶଶୁର ଘର ସମେତ ଅନୁଗୋଳ ଜିଲ୍ଲାର ୪ ଟି ସ୍ଥାନରେ ରେଡ଼୍ ମାରିଛି ଭିଜିଲାନ୍ସ। ଜିଲ୍ଲାର କରଡ଼ାଗାଡ଼ିଆସ୍ଥିତ ବାସଭବନରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ରେଡ଼ ରେ ସାମିଲ ହୋଇଛନ୍ତି । ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ,ଲକେଇପସି, ମାଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି । ଏହା ପୂର୍ବରୁ ବୈକୁଣ୍ଠ ଅନୁଗୋଳ ଜିଲା RD ର ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଚଢାଉରୁ ଦେଢ଼ କୋଟି ଟଙ୍କା ସହ ଚାରିଟି ପ୍ଲଟ ସୁନା ଗହଣା ଓ ଲକରରେ ଟଙ୍କା ଓ ସୁନା ଥିବା ଜଣାପଡିଛି।
ଭିଜିଲାନ୍ସ ଘରର ଆସବାବପତ୍ର ସହ ଗାଡି ବ୍ୟାଙ୍କ ବାଲାନ୍ସ ଓ ସୁନା ଗହଣାର ମଧ୍ୟ ଗଣନା କରୁଛନ୍ତି । ଏନେଇ ଜବତ ଆୟର ପରିମାଣ ଢେର ଅଧିକା ହେବ ବୋଲି ଅନୁମାନ କରାଯାଉଥିବା ବରିଷ୍ଠ ଭିଜିଲାନ୍ସ ଅଧିକାରି ସୂଚନା ଦେଇଛନ୍ତି ।