ଅନୁଗୋଳ: ମହିଳା ସମାବେଶ ଓ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, "ଓଡ଼ିଶାରେ ଦାସତ୍ୱ କିମ୍ବା କ୍ରୀତଦାସ ପାଇଁ ନୁହେଁ, ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ କରିବା । ଏହି ମହିଳା ସମାବେଶ ଓଡ଼ିଶାରେ ପରିବର୍ତ୍ତନକୁ ସୂଚାଉଛି । ମୋଦି ଚାଉଳ ଦେଲେ, କିନ୍ତୁ ନବୀନ ସରକାର ଖଣ୍ଡେ ବ୍ୟାଗ୍ ଦେଇ ମିଛ ଆତ୍ମପ୍ରଚାର କରିବା କେତେଦୂର ଠିକ୍ ? ଅନୁଗୋଳରେ ସ୍ୱାମୀ ପରେ ସ୍ତ୍ରୀଙ୍କୁ ଟିକଟ ମିଳିବା କ'ଣ ରାଜତନ୍ତ୍ର?" ବୋଲି ପ୍ରଶ୍ନ କରିଛନ୍ତି ଧର୍

େନ୍ଦ୍ର । "ଏଥର ଲଢେଇ ରିମୋର୍ଟରେ ଶାସନ ନୁହେଁ ବରଂ ଲୋକଙ୍କ ଶାସନ ଚଲାଇବା ପାଇଁ ହେବ" କହି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି କହିଛନ୍ତି,"ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଉପରେ ପ୍ରଶ୍ନ କଲେ ଗୁମାସ୍ତା ଗାଳି ମନ୍ଦ କରୁଛନ୍ତି । ମୋତେ ସେମାନେ ଯେତେ ଗାଳିମନ୍ଦ କଲେ ବି ମୁଁ ଅନୁଗୋଳ ସମେତ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସମସ୍ୟା କଥା ଉଠାଇବି ଏବଂ ବାରମ୍ବାର ଉଠାଇବି । ଚଳିତ ଥର ନିର୍ବାଚନ ମୋଦି ସରକାରଙ୍କ କଲ୍ୟାଣକାରୀ ୧୦ ବର୍ଷର ଶାସନ ଏବଂ ନବୀନ ସରକାରଙ୍କ ଦୀର୍ଘ ୨୪ ବର୍ଷର ଅପାରଗ ଶାସନ ପାଇଁ ହେବ । ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଏବଂ କୋରୋନା ମହାମାରୀ ସମୟରେ ଟିକା ଉପଲବ୍ଧ କରାଇଛନ୍ତି ମୋଦି ସରକାର ।"

ସେହିପରି କଂଗ୍ରେସକୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି, "କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବାବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ରାସ୍ତା, ରେଳ, ବିମାନବନ୍ଦର ଭିତ୍ତିଭୂମି ମଜବୁତ୍ କରିଛନ୍ତି । ଜନଧନରେ ଟଙ୍କା ଓ ଲକ୍ଷପତି ଦିଦି ଭଳି ଅନେକ ଯୋଜନା ବିଶେଷ କରି ମାତୃଶକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଗରିବ ଲୋକଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିପାରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ନବୀନ ବାବୁ ବ୍ୟାଗ୍ ଖଣ୍ଡେ ଦେଇ ନିଜେ ଚାଉଳ ଦେବାର ଅପପ୍ରଚାର କରୁଛନ୍ତି । ମୁଁ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ବଂଶଜ । ଅନୁଗୋଳ ହେଉଛି ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ତ୍ୟାଗ ଓ ବଳିଦାନର ଭୂମି । ଏହି ସଂଗ୍ରାମୀମାନେ ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଇଁ ନଥିଲେ, ମୁଁ ମଧ୍ୟ ତାଙ୍କ ଆଗରେ ମୁଣ୍ଡ ନୁଆଇଁବି ନାହିଁ । ଓଡ଼ିଶାରେ ଦାସତ୍ୱ କିମ୍ବା କ୍ରୀତଦାସ ପାଇଁ ନୁହେଁ, ଏଥର ଲଢେଇ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ହେବ ।" କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସମାଜସେବୀ ଭାରତ ସାହୁଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସମର୍ଥକମାନେ ଦଳରେ ଯୋଗଦେଇଥିଲେ । ଏହି ଯୋଗଦାନ ଦଳୀୟ ପ୍ରାର୍ଥୀଙ୍କ ହାତମୁଠାକୁ ଅଧିକ ମଜବୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

0 Comments