ଭୁବନେଶ୍ବର: ବିଶ୍ବ ଭୌଗଳିକ ପରିଧିରେ ଓଡ଼ିଶା ଲେଖିବ ନୂଆ ନାମ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଟାଇଗର ରିଜର୍ଭ ସହିତ ଯୋଡ଼ି ହୋଇଯିବ ଆଉ ଏକ ମାଇଲଖୁଣ୍ଟ । ଶିମିଳିପାଳ ଅଭୟାରଣ୍ୟ ନିକଟରେ ନିର୍ମାଣ ହେବ ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ ଟାଇଗର ସଫାରୀ ବା କଳା ବାଘ ସଫାରୀ । ଏହି ପ୍ରକଳ୍ପ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛି । ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA) ପରେ ସେଣ୍ଟ୍ରାଲ ଜୁ' ଅଥରିଟି (CZA)ର ଅନୁମତି ମିଳିଛି । ଏହି ସୂଚନା ଦେଇଛନ୍ତି ପ୍ରିନସିପାଲ ଚିପ୍ କଞ୍ଜରଭେଟର ଫରେଷ୍ଟ (PCCF), ସୁଶାନ୍ତ ନନ୍ଦ । Technical Approval ବା ବୈଷୟିକ ଅନୁମତି ପରେ ଏହାର କାର୍ଯ୍ୟାନ୍ବୟନ ହେବ ବୋଲି କହିଛନ୍ତି PCCF ।

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ବାରିପଦା ସହରରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ଥିତ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଠାରୁ ମାତ୍ର ୧୫ କିଲୋମିଟର ଦୂର ଏବଂ ବାରିପଦା ସହରରୁ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ପ୍ରସ୍ତାବ ଅନୁସାରେ 100 ଏକର ଜାଗାରେ ତିଆରି ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏଥି ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି ।

ପ୍ରିନସିପାଲ ଚିପ୍ କଞ୍ଜରଭେଟର ଫରେଷ୍ଟ (PCCF) ସୁଶାନ୍ତ ନନ୍ଦ କହିଛନ୍ତି, "କଳା ବାଘ ସଫାରୀ ପାଇଁ ପ୍ରଥମେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA)ରୁ ଅନୁମତି ମିଳିଥିଲା । ଏବେ ସେଣ୍ଟ୍ରାଲ ଜୁ' ଅଥରିଟି (CZA) ଅନୁମତି ପ୍ରଦାନ କରିଛନ୍ତି । କଳା ବାଘ ବିରଳ ଅଟେ । ଶିମିଳିପାଳରେ କଳା ବାଘ ଦେଖିବା ସମ୍ଭବ ହେଉନଥିବାରୁ ବାରିପଦାରୁ 10 କିମି ଦୂରରେ 100 ଏକର ଜାଗାରେ ମଞ୍ଚିଆପଡ଼ାରେ କଳା ବାଘ ସଫାରୀ କରାଯିବ । ଏଥିରେ ପ୍ରାଣୀଙ୍କ ପାଇଁ ଚିକିତ୍ସା, ଭିତ୍ତିଭୂମି ଏବଂ ଉଦ୍ଧାର କେନ୍ଦ୍ର ସ୍ଥାପନ କରାଯିବ । ନନ୍ଦନକାନନରେ 3ଟି କଳା ଓ ଧଳା ବାଘ ପ୍ରଥମେ ଏଠାରେ ରହିବେ । କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡ଼ାଯିବାର ଯୋଜନା ରହିଛି । ବୈଷୟିକ କମିଟିର ଅନୁମୋଦନ ପରେ ଚଳିତବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବାର ସମ୍ଭାବନା ରହିଛି । ଏଠାରେ ଜୁ' (ZOO) ହସପିଟାଲ ସହିତ ଏନକ୍ଲୋଜର ବ୍ୟବସ୍ଥା ମଧ୍ୟ ରହିବ । "

ସାଧାରଣତଃ କଳା ବାଘ ବିରଳ ଅଟେ । ଶିମିଳିପାଳକୁ ଯେଉଁ ପର୍ଯ୍ୟଟକ ବୁଲି ଯାଆନ୍ତି, ସେମାନେ କଳା ବାଘ ଦେଖିବାକୁ ପାଉନାହାନ୍ତି । ପିସିପିଏଫ ସୁଶାନ୍ତ ନନ୍ଦଙ୍କ କହିବା କଥା, "ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ମାତ୍ର 1 ପ୍ରତିଶତ ବାଘ ଦେଖିବାର ସୁଯୋଗ ପାଆନ୍ତି । ବାକି 99

ପ୍ରତିଶତ ନିରାଶ ହୋଇଫେରନ୍ତି । ଯାହା ଫଳରେ ପର୍ଯ୍ୟଟକମାନେ ଶିମିଳିପାଳରୁ ମୁହଁ ଫେରାଉଥିଲେ । ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିଲାଣି । ଯେହେତୁ 99 ପ୍ରତିଶତ କଳା ବାଘ ନଦେଖି ଫେରିବାକୁ ବାଧ୍ୟ ହେଉଛନ୍ତି, ତେଣୁ ଶିମିଳିପାଳ ଠାରୁ ମାତ୍ର ଅଳ୍ପ ଦୂରରେ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧାରେ ସଫାରୀ କରାଯାଉଛି । "

PCCF ସୁଶାନ୍ତ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, "ସେଣ୍ଟ୍ରାଲ ଜୁ' ଅଥରିଟି (CZA)ର ଅନୁମତି କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ 3ଟି କଳା ଓ ଧଳା ବାଘ ଅଣାଯିବ । ଯେଉଁ ବାଘ ନିକଟରେ ବିଶେଷ ଭାବେ କଳା ଜିନ୍ ଥିବ, ସେମାନଙ୍କୁ ଏହି ସଫାରୀରେ ଛଡ଼ାଯିବ । ଏହା ସହ ରାଞ୍ଚିରୁ ଦୁଇଟି ବାଘ ଅଣାଯାଇଛି । ଗୋଟିଏ କଳା ବାଘ ଏବଂ ଅନ୍ୟଟି କଳା ଜିନ ରହିଥିବା ବାଘ । ଯାହା ଏହି ସଫାରୀରେ ରହିବେ । ଏହି କଳା ବାଘ ବ୍ରିଡିଂରେ ହୋଇଥିବା ଶାବକଙ୍କୁ ମଧ୍ୟ ଏଠାରେ ରଖାଯିବ ।"

"ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ଶାସନ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏଭଳି କଳା ରଙ୍ଗର ବାଘ ଦେଖିବାକୁ ମିଳିଥିଲା । ତେବେ ଗଞ୍ଜାମ ଜିଲ୍ଲାକୁ ବାଦ ଦେଲେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାରେ ଏବେ ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି 8ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳୁଥିଲା । ଓଡ଼ିଶା ନବମ ରାଜ୍ୟ ଯେଉଁଠାରେ କି କଳା ବାଘ ଦେଖିବାକୁ ମିଳୁଛନ୍ତି । ଯାହା ବିରଳ ଅଟେ । "

କଳା ବାଘ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବେ । ଓଡ଼ିଶାକୁ ବନ୍ୟଜନ୍ତୁଙ୍କ ଦେଖିବା ପାଇଁ 95 ପ୍ରତିଶତ ପଶ୍ଚିମବଙ୍ଗରୁ ଆସିଥାନ୍ତି । ସେମାନଙ୍କ ପାଇଁ ଭୁବନେଶ୍ବର ନିକଟ ନନ୍ଦନକାନନ ତୁଳନାରେ ଶିମିଳିପାଳ ବହୁତ ନିକଟ ହେବ । ରିଜିଓନାଲ ଚିପ୍ କଞ୍ଜରଭେଟର ଅଫ ଫରେଷ୍ଟ (RCCF), ମୟୂରଭଞ୍ଜ, ପ୍ରକାଶ ଚାନ୍ଦ ଗୋଗିନେନୀ ଇଟିଭି ଭାରତକୁ ଫୋନ ଯୋଗେ କହିଛନ୍ତି,"ବର୍ତ୍ତମାନସୁଦ୍ଧା ଆମ ପାଖକୁ ଆନୁଷ୍ଠାନିକ ଭାବେ କୌଣସି ଚିଠି କିମ୍ବା ସୂଚନା ଆସିନାହିଁ । ତେବେ ବାରିପଦା ମଞ୍ଚାବନ୍ଧାରେ କଳା ବାଘ ସଫାରୀ ହେବାର ପ୍ରସ୍ତାବ ରହିଛି । ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଛି । ଚୂଡ଼ାନ୍ତ ଅନୁମୋଦନକୁ ଅପେକ୍ଷା ରହିଛି । " ସେ ଆହୁରି ମଧ୍ୟ କହିଛନ୍ତି, " ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୨୭ଟି ବଡ଼ ବାଘ ଅଛନ୍ତି, ସେଥିରୁ ୧୬ଟି ହେଉଛନ୍ତି କଳାବାଘ । "

0 Comments