ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା । ବିଜୟ ମୁକୁଟ ପିନ୍ଧିଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଏବଂ ସନ୍ତୃପ୍ତ ମିଶ୍ର । ଫଳାଫଳ ପରେ, ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ସାଂସଦମାନେ ସଂସଦରେ ଓଡ଼ିଶାର ସ୍ୱରକୁ ଶାଣିତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ରାଜ୍ୟସଭା ନିର୍ବାଚନରେ ବିଜୟ ପରେ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏପଟେ ବିଜେପିର ଦୁଇ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
।
ତେବେ ବିଜେଡି ଏବଂ କଂଗ୍ରେସର ବିଧାୟକମାନଙ୍କ କ୍ରସ୍-ଭୋଟିଂ ଦିଲ୍ଲୀପ ରାୟଙ୍କୁ ତୃତୀୟ ଥର ପାଇଁ ସଂସଦର ଉଚ୍ଚ ସଦନକୁ ଯିବାରେ ସହଯୋଗ କରିଛି । କାରଣ 4ର୍ଥ ଆସନ ପାଇଁ ଜୋରଦାର ଟକ୍କର ହୋଇଥିଲା ।
ରାଜ୍ୟସଭା ନିର୍ବାଚନ ଫଳାଫଳରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି । ଏହାସହ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟ ହାସଲ କରିଛନ୍ତି । ତେବେ 4ର୍ଥ ଆସନ ପାଇଁ ଜୋରଦାର ଲଢେଇରେ ଦତ୍ତେଶ୍ବର ହୋତାଙ୍କୁ ହରାଇ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ତେବେ ଦିଲ୍ଲୀପଙ୍କ ବିଜୟକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଏକ ବଡ଼ ରାଜନୈତିକ ବିପର୍ଯ୍ୟୟ ଭାବରେ ଦେଖାଯାଉଛି । ଦିଲ୍ଲୀପଙ୍କୁ ଚକମା ଦେବାକୁ ଖୋଦ ବିଜେଡି ସୁପ୍ରିମୋ ଗୋଟି ଚଳାଇଥିଲେ । ହେଲେ ବିଜେପି ସମର୍ଥନରେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି, ଦିଲ୍ଲୀପ ଦଳୀୟ ସୀମା ବାହାରେ ବିଧାୟକମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି ।
ଆଜି ସକାଳ 9ଟାରୁ ଆରମ୍ଭ ହୋଇଥିବା ଭୋଟିଂରେ ଓଡ଼ିଶା ବିଧାନସଭାରେ ହାଇ ଡ୍ରାମା ଦେଖାଦେଇଥିଲା । ବିଧାନସଭାର କୋଠରୀ ନମ୍ବର ୫୪ରେ ଆରମ୍ଭ ହୋଇଥିବା ଭୋଟିଂରେ ସମସ୍ତ ୧୪୭ ବିଧାୟକ ଅଂଶଗ୍ରହଣ କରିଥିଲେ । ୮୨ ବିଧାୟକଙ୍କ ସହିତ, ବିଜେପି ଆରାମରେ ଦୁଇଟି ରାଜ୍ୟସଭା ଆସନ ହାସଲ କରିଥିଲା । କାରଣ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ ଭୋଟ ଆବଶ୍ୟକ ଥିଲା । ୪୮ ବିଧାୟକ ବିଶିଷ୍ଟ ବିଜେଡି, କଂଗ୍ରେସର ଭୋଟ ଉପରେ ନିର୍ଭର କରି ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ମିଳିତ ପ୍ରାର୍ଥୀ ଭାବରେ ପ୍ରାର୍ଥୀ କରିଥିଲା । କିନ୍ତୁ, କ୍ରସ୍-ଭୋଟିଂ ଫଳାଫଳକୁ ପରିବର୍ତ୍ତନ କରିଥିଲା । ବିଜେଡିର 8 ଜଣ ବିଧାୟକ ଏବଂ 3 ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ଦିଲ୍ଲୀପଙ୍କୁ ଆବଶ୍ୟକ ସଂଖ୍ୟା ପାଇବାରେ ସହାୟତା କରିଛି । ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଛି ୩୫ ଖଣ୍ଡ ଲେଖାଏଁ ପ୍ରଥମ ପସନ୍ଦ ଭୋଟ । ସଂତୃପ୍ତ ମିଶ୍ରଙ୍କୁ ମିଳିଛି ପ୍ରଥମ ପସନ୍ଦ ୩୧ ଖଣ୍ଡ ଭୋଟ । ଦିଲ୍ଲୀପ ରାୟ ଓ ଡା. ଦତ୍ତେଶ୍ବର ହୋତାଙ୍କୁ ମିଳିଛି ୨୩ ଖଣ୍ଡ ଲେଖାଏଁ ଭୋଟ । ଦ୍ବିତୀୟ ପସନ୍ଦର ଭୋଟ ସହାୟତାରେ ଜିତିଛନ୍ତି ଦିଲ୍ଲୀପ ରାୟ ।