ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ମଧ୍ୟ ଅନୁଭୂତ ହେବ । ଏନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏବଂ ରାଜ୍ୟର ୯ ଜିଲ୍ଲାରେ ବିଜୁଳି ଘଡଘଡିର ପ୍ରଭାବ ଦେଖିବାକୁ ମିଳିଛି ।

ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସନ୍ଧ୍ୟା ବେଳକୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦

କିଲୋମିଟର ଘଣ୍ଟା ପ୍ରତି ପବନ ବୋହିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଡ଼ ରାଜଶ୍ରୀ ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ମାର୍ଚ୍ଚ ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦେଖାଦେବ ବଡ଼ ବର୍ଷା ।

ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାମଧ୍ୟରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ଯଥା ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି ।ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକକୁ ଅରେଞ୍ଜ ୱର୍ଣିଙ୍ଗ ଜାରି କରାଯାଇଛି ।

0 Comments