ଭୁବନେଶ୍ବର: ଭିଜିଲାନ୍ସରେ ପୁଣି ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଫରେଷ୍ଟ ରେଞ୍ଜର ରାମଚନ୍ଦ୍ର ନେପକ ଘରେ ଭିଜିଲାନ୍ସ ରେଡ କରିଛି । ଚଢାଉ ବେଳେ ଫରେଷ୍ଟ ରେଞ୍ଜରଙ୍କ ଘରୁ ମିଳିଛି ଅମାପ ସମ୍ପତ୍ତି । ଟଙ୍କାର ଥାକ କରି ଭର୍ତ୍ତି ହୋଇଥିବା ଟ୍ରେଜେରି ସହିତ ସୁନାର ବିସ୍କୁଟ ସହ ଗୋଲ୍ଡ କଏନ ମଧ୍ୟ ଠାବ ହୋଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ‘ଆୟବର୍ହିଭ
ୂତ ସମ୍ପତ୍ତି ଠୁଳ ଅଭାଯୋଗରେ ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ନେପକଙ୍କ କୋରାପୁଟର ଘର ସମେତ ଜୟପୁର ଓ ଭୁବନେଶ୍ୱରରେ ଏକାଳୀନ ରେଡ କରାଯାଇଥିଲା । ରେଡରେ 6 ଜଣ ଡିଏସପି ଓ 5 ଇନିସପେକ୍ଟର ସହ 9 ଜଣ ଏଏସଆଇ ସାମିଲ ଥିଲେ । ବିଭିନ୍ନ ସ୍ଥାନକୁ ଯାଇ ଛାନଭିନ କରିଥିଲା ଟିମ୍ । 6ଟି ସ୍ଥାନରେ ରେଡ ଜାରି ରହିଛି ।
କୋରାପୁଟ ପିଆର ପେଟାର ପୈତୃକ ଘର ସମେତ ଗୋଲ୍ଡେନ ହାଇଟ୍ସ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ 510 ଓ 511 ମଧ୍ୟ ଚଢ଼ାଉ ହୋଇଥିଲା।ସେହିପରି ତାଙ୍କର ଭାଇଙ୍କ ଘର ରଘୁନାଥପୁର ଭୁବନେଶ୍ୱରରେ ମଧ୍ୟ ରେଡ କରିଥିଲା ଭିଜିଲାନ୍ସ ଟିମ୍ । ଏହା ସହିତ ଜୟପୁରରେ ଥିବା ଶ୍ବଶୁର ଘର ଓ ଜୟପୁର ଫରେଷ୍ଟ ଡିଭିଜନର ଅଫିସରେ ମଧ୍ୟ ଚଢ଼ାଉ କରାଯାଇଥିଲା ।
ଜୟପୁର ଗୋଲ୍ଡେନ ହାଇଟ୍ସ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ 510ରୁ ରେଡ ବେଳେ ଏକ ଟ୍ରେଜରି ମିଳିଥିଲା । ଯେଉଁଥିରେ ଲକ୍ କରାଯାଇ ତିନିଗୋଟି ଥାକରେ ଟଙ୍କାର ବଣ୍ଡଲ ରଖାଯାଇଥିଲା । ଯେଉଁଥିରୁ ବାହାରିଥିଲା 1 କୋଟି 43 ଲକ୍ଷ ଟଙ୍କା ତା ସହିତ 4ଟି ସୁନା ବିସ୍କୁଟ ଓ ସୁନା କଏନ ମଧ୍ୟ ଠାବ ହୋଇଛି । ସେତିକି ନୁହେଁ ସମସ୍ତ ସୁନା ଗହଣାକୁ ମିଶାଇ ଏଯାବତ ଦେଢ଼ କେଜି ସୁନା ଗହଣା, ସାଢେ ଚାରି କେଜିରୁ ଊର୍ଦ୍ଧ୍ବ ରୂପା ଅଳଙ୍କାର, ଜୟପୁରରେ ଏକ ମହଲା ଘର, ଭୁବନେଶ୍ବରରେ 3 ମହଲା ବିଶିଷ୍ଟ 3ଟି ଫ୍ଲାଟ, 1 କାର, 2ଟି ପ୍ଲଟ ଠାବ ହୋଇଛି ।
1965 ମସିହାରେ ଜନ୍ମ ଗ୍ରହଣ କରିଥିବା ରାମଚନ୍ଦ୍ର ନେପକ ଭିଲେଜ ଫରେଷ୍ଟ ଓ୍ବାର୍କର ଭାବେ 09.03.1989ରେ ଯୋଗଦେଲେ । କୋରାପୁଟ ଫରେଷ୍ଟ ଡିଭିଜନରେ ଚାକିରି ଆରମ୍ଭ ପରେ ସେ ଟେରିଟୋରିଆଲ ଫରେଷ୍ଟ ଡିଭିଜନ ଜୟପୁରରେ ମଧ୍ୟ କାମ କରିଥିଲେ । ସେବେଠୁ ଧିରେ ଧିରେ ସେ ପ୍ରମୋସନ ପାଇ ଏବେ ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ଫରେଷ୍ଟ ରେଞ୍ଜର ଭାବେ କାମ କରୁଛନ୍ତି । ମାସକୁ ସେ 69,680/- ଟଙ୍କା ଦରମା ହାତକୁ ପାଆନ୍ତି ଯେଉଁଠି ତାଙ୍କର Gross Salary ରହିଛି 76,880/- ଟଙ୍କା ପ୍ରତି ମାସକୁ । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପଚରାଉଚରା ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ ।