କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆସନ୍ତା ମେ ୧୩ ତାରିଖରେ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଦକ୍ଷିଣ ଓଡିଶାରେ ରାଜନୈତିକ ପାଣିପାଗ ହୋଇଛି ସରଗରମ । ଆଜି କୋରାପୁଟରେ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଲଢିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ମୁଖ୍ୟ ଭିକେ ପାଣ୍ଡିଆନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବାକୁ ଥିବା ବେଳେ ପ୍ରଥମେ

କୋରାପୁଟ ଗସ୍ତ କରିଥିଲେ ନବୀନ । ଆଜି ସକାଳେ ପ୍ରଥମେ ଭୁବନେଶ୍ବରରୁ ବିମାନ ଯୋଗେ ଭୁବନେଶ୍ବରରୁ ବାହାରି ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ହେଲିକପ୍ଟର ଜରିଆରେ କୋରାପୁଟ ଓଏମପି ପଡିଆରେ ପହଞ୍ଚିଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ । ବିପୁଳ ମାତ୍ରାରେ ଜନସମାଗମ ହୋଇଥିବା ବେଳେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ।

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଉପଲବ୍ଧି ଯଥା କାଳିଆ ଯୋଜନା, ମମତା ଯୋଜନା , ପୁରୀ ପରିକ୍ରମା ପ୍ରକଳ୍ପ , ଲକ୍ଷ୍ମୀ ବସ, ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା କେମିତି ଅଛି ପଚାରିବା ସହ ବିରୋଧୀଙ୍କ ନାନା ଅଭିଯୋଗକୁ କୁମ୍ଭୀର କାନ୍ଦଣା କହି କଟାକ୍ଷ କରିଥିଲେ । ୫ଟି ମୁଖ୍ୟ ତଥା ତୁଙ୍ଗ ବିଜେଡି ନେତା ଭି କେ ପାଣ୍ଡିଆନ ନିଜ ଭାଷଣରେ ଜିଲ୍ଲାବାସୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଫଳରେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢିଛି ବୋଲି ବିଜେଡି କର୍ମୀ କହିଛନ୍ତି । ମିଶନ ଶକ୍ତି ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଗତ ଥରର ବିଜୟୀ ସାଂସଦ ତୃଣମୂଳ ସ୍ତରରେ ଲୋକଙ୍କ ନିକଟକୁ ଆସି ପାରିନାହାଁନ୍ତି , କିନ୍ତୁ ପରାଜିତ ହୋଇ ମଧ୍ୟ ବିଜେଡି ପ୍ରାର୍ଥୀ ଲୋକଙ୍କ ସହିତ ରହିଛନ୍ତି ବୋଲି କହିଛନ୍ତି ବିଜେଡି କର୍ମୀ ।

ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା କହିଛନ୍ତି, 'ମୁଖ୍ୟମନ୍ତ୍ରୀ ଆସି ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି । ତେଣୁ ଏଥର ହାରିବାର କୌଣସି ସନ୍ଦେହ ନାହିଁ । ଦୀର୍ଘ ବର୍ଷ ଧରି କୋରାପୁଟରେ କଂଗ୍ରେସ ପ୍ରଭାବ ଥିବା ସତ୍ତ୍ବେ କୌଣସି ପ୍ରକାର ବିକାଶ ହୋଇ ପାରିନାହିଁ ।' ଲୋକମାନେ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଉଛନ୍ତି ବୋଲି କହିଛନ୍ତି କୌଶଲ୍ୟା । ଏହି ସଭାରେ ଜିଲ୍ଲା ସଭାପତି ଝିନ ହିକକାଙ୍କ ସହିତ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନୀ, କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପାଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଇନ୍ଦିରା ନନ୍ଦଙ୍କ ସମେତ 14 ଗୋଟି ବ୍ଲକର ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

0 Comments