ଝାରସୁଗୁଡା: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ସକାଳୁ ସକାଳୁ

ସ୍ବର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଏକା ସାଙ୍ଗରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଭୁବନେଶ୍ବର ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ 6ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ ନଜର ରଖିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ । ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ଆଇଟି ବିଭାଗ । ଆଇଟି ବିଭାଗର 10 ଜଣିଆ ଟିମ୍‌ ଝାରସୁଗୁଡାରେ ଚଢାଉ ଜାରି ରଖିଛି ।

ଝାରସୁଗୁଡା ସ୍ଥିତ ବାସ ଭବନରେ ସକାଳ ପ୍ରାୟ ୬ଟା ସମୟରେ ୪ଟି ଗାଡ଼ିରେ ଆୟକର ବିଭାଗର ୧୦ ଜଣିଆ ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରୁଥିଲେ । ସୂଚନା ଅନୁସାରେ ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି ।

ସୂଚନା ଥାଉକି, ଗତ ଜାନୁଆରୀ ମାସରେ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ବ୍ରଜକିଶୋର ଦାସଙ୍କ ଆୟକର ବିଭାଗର ଚଢ଼ାଉ ହୋଇଥିଲା । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ ଜାରି କରିଥିଲେ । ଏଥିସହିତ ତାଙ୍କ ସମ୍ପର୍କରେ ଥିବା ୬ ଠିକାଦାରଙ୍କ ଘରେ ଆୟକର ଟିମ୍ ପସି ତନାଘନା କରିଥିଲା ।

ତେବେ ଝାରସୁଗୁଡାରେ ଏ ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ କଣ କଣ ଜବତ କରାଯାଇଛି ତାହା ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଆୟକର ବିଭାଗ ଏବଂ ସ୍ବର୍ଗତ ନବ ଦାସଙ୍କ ପରିବାର ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

0 Comments