କଟକ: ୨୦୦୦ ମସିହା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨ ମସିହାରେ ଘୋଷିତ ହୋଇଥିଲା। ଅନ୍ୟାନ୍ୟ ବିଭାଗ ସହିତ ଉପନ୍ୟାସ ବିଭାଗରେ ‘ଶ୍ରମଣାର ପୃଥିବୀ’ ପୁସ୍ତକ ପାଇଁ ଡ.ଅର୍ଚ୍ଚନା ନାୟକ, ଜୀବନୀ ଓ ଭ୍ରମଣ କାହାଣୀ ବିଭାଗରେ ଡ. ଗୋବିନ୍ଦ ଭୂୟାଁଙ୍କ ଦ୍ବାରା ରଚିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ‘ସାର୍ଥକ ସାରଥି’ ଏବଂ କବିତା ବିଭାଗରେ ସଦାଶିବ ଦାଶଙ୍କ ‘ପ୍ରେମିକା ପ୍ରେମିକା’ ପୁସ୍ତକ ଏକାଡେମୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିଲା। ଏହି ପୁରସ୍କାରକୁ ବିରୋଧ କରି ଦାୟର ହୋଇଥିବା ଦୁଇଟି ମକଦ୍ଦମା ଆଧାରରେ ଓଡିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ଥଗିତ ରହିଥିଲା।

ଦୀର୍ଘ ୨୨ ବର୍ଷ ପରେ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍ ଏସ୍ ରମଣଙ୍କ ଖଣ୍ଡପୀଠ ମଙ୍ଗଳବାର ସମ୍ପୃକ୍ତ ପକ୍ଷମାନଙ୍କର ଯୁକ୍ତି ଶୁଣିବା ପରେ ମକଦ୍ଦମାର ରାୟ ପ୍ରଦାନ କରିଛନ୍ତି। ଡ. ଅର୍ଚ୍ଚନା ନାୟକ, ଡ.ଗୋବିନ୍ଦ ଭୂୟାଁ ଓ ସଦାଶିବ ଦାଶଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଫଳରେ ଉକ୍ତ ୩ ସାହିତ୍ୟିକଙ୍କୁ ୨୨ବର୍ଷ ପରେ ନ୍ୟାୟ ମିଳିଛି। ଅର୍ଚ୍ଚନା ନାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ସଦାଶିବ ଦାଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଡ. ଗୋବିନ୍ଦ ଭୂୟାଁଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ଏହି ମକଦ୍ଦମା ପରିଚାଳନା କରୁଥିଲେ।

0 Comments