ପୁରୀ: ଆଜି ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ ପବିତ୍ର ଅକ୍ଷୟ ତୃତୀୟା । ଚଳିତ ବର୍ଷର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି । ଏହାସହ ମହାପ୍ରଭୁଙ୍କ ବଡ଼ଦିଅଁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାବାହୁଙ୍କ ଚଳନ୍ତି ପ୍ରତିମା ।

ଆଜି ଭୋର ୪ଟାରେ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ, ମଇଲମ, ଅ

ବକାଶ ଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା । ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢି ସ୍ପର୍ଶ କରାଯାଇ ରଥ ନିର୍ମାଣ କାର୍ଯ୍ୟର‌ ଅନୁକୂଳ କରାଯାଇଥିଲା । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେନେଇ ସମସ୍ତେ ପ୍ରାର୍ଥନା କରିଛନ୍ତି ।

ଏପଟେ ଆଜି ରଥ କାଠ ଅନୁକୂଳ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବଙ୍କୁ ସେବାୟତମାନେ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ନେଇଥାନ୍ତି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିଥାନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ୨୧ ଦିନ ଧରି ଚାଲିବାକୁ ଥିବା ବେଳେ ନରେନ୍ଦ୍ରରେ ମହାପ୍ରଭୁ ଦିନ ଓ ରାତି ଚାପରେ ଦୁଇଥର ନୌକା ବିହାର କରିବେ । ତେଣୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଏହି ଲୀଳାକୁ ଦେଖିବା ପାଇଁ ପୁରୀ ଆସିଛନ୍ତି । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୮ ଜଣ ଆଇଆଇସି ମୁତୟନ ହୋଇଛନ୍ତି । ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

0 Comments