ପୁରୀ: ଭାରତରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବାକୁ ହେଲେ ମୂଳଦୁଆକୁ ମଜଭୁତ କରିବାକୁ ପଡ଼ିବ । ଉନ୍ନତ ମାନର ଚିକିତ୍ସା ସେବା ବ୍ୟବସ୍ଥା କରିବାକୁ ପଡ଼ିବ । ଏଥିପାଇଁ ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ସୁଦୃଢ କରିବାକୁ ପଡ଼ିବ । ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ପଡ଼ିବ । ତାହା ହେଲେ ଆମେ ସାରା ଦେଶବାସୀଙ୍କୁ ଏକ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସ୍ୱାସ୍ଥ୍ୟସେବାକୁ ଉନ୍ନତି କରିବା ପାଇଁ ଅର୍ଥର ଅଭାବ ନଥିବା ନବମ ଜାତୀୟ ସ୍ଵାସ୍ଥ୍ୟ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆହୁରି କହିଛନ୍ତି, ‘ଦେଶରେ ଲୋକଙ୍କ ପାଖରେ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସଫଳ ଜାତୀୟ ସ୍ଵାସ୍ଥ୍ୟ ମିଶନ । ଜାତୀୟ ସ୍ଵାସ୍ଥ୍ୟ ମିଶନ ଜରିଆରେ ଗ୍ରାମାଞ୍ଚଳ, ଅନୁନ୍ନତ ଅଞ୍ଚଳରେ ଶିଶୁ, ମାତୃ ମୃତ୍ୟୁହାର ହ୍ରାସ ପାଇଛି । ସେହିପରି ଟିବି, ଫାଇଲେରିଆ, ସହ ଅନେକ ରୋଗର ସଫଳ ଚିକିତ୍ସା କରାଯାଇ ରୋଗକୁ ନିୟନ୍ତ୍ରଣ କରାଯାଇପାରିଛି । ଜାତୀୟ ସ୍ଵାସ୍ଥ୍ୟ ମିଶନ ଜରିଆରେ ବ୍ୟାପକ ଜନସଚେତନା ଦ୍ବାରା ଲୋକଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ ବ୍ୟାପକ ଭାବେ କରାଯାଉଥିବାରୁ ଲୋକ ମାନେ ବିଭିନ୍ନ ରୋଗ ବିଷୟରେ ସଚେତନ ହୋଇଗଲେଣି । ଯାହାକି ଲୋକଙ୍କୁ ବେଶ୍ ଫାଇଦା ଦେଇଛି ।
ସେ ଆହୁରି କହିଛନ୍ତି, ‘ଆମ ଦେଶରେ ମେଲେରିଆକୁ ନିୟନ୍ତ୍ରଣ କରାଯାଇପାରିଛି । WHO ମଧ୍ୟ ଆମକୁ ପ୍ରଶଂସା କରିଛି । ଓଡ଼ିଶା ପୂର୍ବରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବେଶ୍ ବଦନାମ ଥିଲା । ହେଲେ ସରକାରଙ୍କ ନିଷ୍ଠାପର ଉଦ୍ୟମ ଓ ଯୋଜନା ଯୋଗୁଁ ଓଡିଶା ଏବେ ସ୍ଵାସ୍ଥ୍ୟ ସେବାରେ ବେଶ୍ ଆଗେଇ ଚାଲିଛି । ଯାହାକି ବେଶ୍ ପ୍ରଶଂସ
ା ଯୋଗ୍ୟ ।
ତେବେ ଦେଶରେ ଟିବି ରୋଗ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିଛି । ଆଶା ଅଛି 2025ରେ ଆମ ଦେଶରୁ ଟିବି ରୋଗ ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଏହା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ତେବେ ଦେଶରେ ତୃଣମୂଳ ସ୍ତରରେ ଉନ୍ନତ ଚିକିତ୍ସା ସେବା ପହଞ୍ଚାଇବାକୁ ହେଲେ ଆମେ ଲୋକ ପ୍ରତିନିଧିଙ୍କ ସହଯୋଗ ନେବାକୁ ପଡିବ । କାରଣ ଗ୍ରାମର ସରପଞ୍ଚ, ୱାର୍ଡ ମେମ୍ବର ହିଁ ପ୍ରତ୍ୟେକ ଲୋକଙ୍କ ସହ ସମ୍ପର୍କରେ ଥାଆନ୍ତି । ଏଣୁ ନିଜ ଅଞ୍ଚଳରେ କଣ ଅସୁବିଧା ରହିଛି ତାହା କିଭଳି ଦୂର ହୋଇ ପାରିବ ତାହା ଆମେ ଲୋକ ପ୍ରତିନିଧିଙ୍କ ସହଯୋଗରେ ହିଁ ଆମେ ଗ୍ରାମାଞ୍ଚଳରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ପାରିବା । ଏଣୁ ପ୍ରତ୍ୟେକ ରାଜ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ଯୋଜନାକୁ ଆହୁରି ଭଲ ଭାବରେ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଵା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ବ୍ୟକ୍ତବ୍ୟରେ କହିଥିଲେ, ‘ଆମ ସରକାରର ଲକ୍ଷ୍ୟ ରହିଛି ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡିଶା । ତେବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ଏବେ ସ୍ବାସ୍ଥ୍ୟ ସେବା ବେଶ୍ ଆଗକୁ ଯାଇଛି । ତେବେ ଏହାକୁ ନେଇ ଆମେ ସନ୍ତୁଷ୍ଟ ହୋଇନୁ । ଆହୁରି ସ୍ଵାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଆମେ କାର୍ଯ୍ୟ ଜାରି ରଖିଛୁ । ଲୋକଙ୍କୁ ଭଲ ସ୍ଵାସ୍ଥ୍ୟ ଯୋଗାଇ ଦେବା ପାଇଁ ଆମ ସରକାର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ସ୍ବାସ୍ଥ୍ୟ ବୀମା ଯୋଜନା ଓଡ଼ିଶାରେ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ଓଡ଼ିଶା ବାହାରେ ରହୁଥିବା ଶ୍ରମିକ ମାନେ ମଧ୍ୟ ମାଗଣାରେ ସ୍ଵାସ୍ଥ୍ୟ ସେବା ପାଇ ପାରିବେ ।
ପୁରୀରେ ଉଦଘାଟନ ହୋଇଛି ଦୁଇ ଦିନିଆ ଜାତୀୟ ସ୍ଵାସ୍ଥ୍ୟ ସମ୍ମିଳନୀ । ଏଥିରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ରାଜ୍ୟ ମୁଖ୍ୟ ମାନେ ଯୋଗ ଦେଇଛନ୍ତି । ମୁଖ୍ୟତଃ କେଉଁ କେଉଁ ରାଜ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନରେ କେଉଁ ରୋଗକୁ ସଫଳତା ସହ କିଭଳି ନିୟନ୍ତ୍ରଣ କରାଯାଇପାରିଛି ସେ ନେଇ ଆଲୋଚନା ଚାଲିଛି । ଗୋଟିଏ ରାଜ୍ୟର ସଫଳତାକୁ ଅନ୍ୟ ରାଜ୍ୟରେ ଲାଗୁ କରାଯାଇ କିଭଳି ଜାତୀୟ ସ୍ଵାସ୍ଥ୍ୟ ମିଶନକୁ ଅଧିକ ସଫଳ କରିହେବ ତାହା ଏହି କାର୍ଯ୍ୟକ୍ରମର ମୁଖ ଉଦ୍ଦେଶ୍ୟ ।
ପ୍ରାୟ ଘଣ୍ଟାଏ ଧରି ରାଜ୍ୟ ଅତିଥି ଭବନରେ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସନଗଠନ ମନ୍ତ୍ରୀ ମାନସ ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର ଉପସ୍ଥିତ ଥିଲେ । ବୈଠକରେ ସାଂଗଠନିକ ସ୍ଥିତି ସହ ସରକାର ଏବଂ ସଂଗଠନ ଭିତରେ ସମନ୍ୱୟ ବିଷୟରେ ଆଲୋଚନା କରିଛନ୍ତି ନଡ୍ଡା । ନୂଆ ସଭାପତି ନିଯୁକ୍ତି ନେଇ ବି ବିଚରା ବିମର୍ଶ ହୋଇଥିବା କୁହାଯାଉଛି । ଏହା ସହ କିଛି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି ନଡ୍ଡା ।
ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଲେ ଜେପି ନଡ୍ଡା । ରାଜଭବନ ଯାଇ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।