ଭୁବନେଶ୍ବର: ପ୍ରଭାସିନୀ ବେହେରା ଓ ଦେବୀ ଶବରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ନିଯୁକ୍ତି ପତ୍ର । ଏହା ସହିତ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜଣାଇଲେ ପ୍ରଭାସିନୀ ଓ ଦେବୀ । ନିକଟରେ ଉଭୟଙ୍କ ସ୍ୱାମୀ ହୋମଗାର୍ଡ ଜଗବନ୍ଧୁ ମାହାଲି ଏବଂ ଓଏପିଏଫ ଯବାନ ଲୋକନାଥ ଶବରଙ୍କର ଦୁର୍ଘଟଣାରେ ପରଲୋକ ହୋଇଥିଲା ।

କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର । ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ । ସେମାନଙ୍କ ଦୁଃଖ ସମୟରେ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୋହନ ଆଜି ପୁଣିଥରେ ନିଜର ସହୃଦୟତାର ପରିଚୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଛନ୍ତି ।

>

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସରକାର ସେମାନଙ୍କ ସହିତ ଅଛନ୍ତି । ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓଏପିଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ । ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ପିସିଆର ଭ୍ୟାନରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇ.ବି ଖୁରାନିଆ, ହୋମଗାର୍ଡ ଓ ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଡଙ୍ଗୀ, ପୋଲିସ କମିଶନର ଦେବଦତ୍ତ ସିଂ, କଟକ ଡ଼ିସିପି ଖିଲାରୀ ଋଷିକେଶ ଡ୍ୟାନଦେଓ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments