ଭୁବନେଶ୍ବର: ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଲାଗି ରହିଛି । ଆଗାମୀ ୫ ଦିନ ଯାଏଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବ । ସେହିପରି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବା ସମ୍ଭାବନା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,
ଲାଙ୍ଗୀର, ନୂଆପଡା, ବରଗଡ଼, ରାୟଗଡା, କନ୍ଧମାଳ,ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଏହି ୧୫ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ଦେଓଗଡ, ଅନୁଗୋଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା ଓ ଯାଜପୁର ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବା ସହ କୁଆପଥର ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଯାଜପୁର ଏହି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହାସହ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ସେହିପରି ରାୟଗଡା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ, ଢେଙ୍କାନାଳ, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି , ନବରଙ୍ଗପୁର ଓ ମାଲକାନଗିରି ଏହି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୫୦ କିମି ପବନ ବହିବ ।
ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୬ ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା । ସେପଟେ ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଗାମୀ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।