ପୁରୀ: ଶେଷ ହୋଇଆସୁଛି ବର୍ଷ ୨୦୨୪ । ମାତ୍ର ଆଉ ତିନିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ- ୨୦୨୫ । ତେବେ ବର୍ଷ ଶେଷ ଓ ନୂଆବର୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରେ ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ପୂର୍ବ ବର୍ଷଗୁଡିକ ପରି ବଢିବାରେ ଲାଗିଛି । ତେବେ ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ବ୍ୟଗ୍ରତା ଥାଏ । ଫଳରେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲା ଓ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଡିସେମ୍ବର ୩୧ ଏବଂ ଜାନୁୟାରୀ ପହିଲାରେ ପୁରୀକୁ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ହେବ । ଏଣୁ ଶ୍ରୀମନ୍ଦିର, ସମୁଦ୍ର କୂଳ ସହ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବ
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ବଡ଼ଦାଣ୍ଡ ମାର୍କେଟ ଛକଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସେହିପରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ସମୁଦ୍ର ସ୍ନାନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ତା'କୁ ରୋକିବା ପାଇଁ ପର୍ଯ୍ୟପ୍ତ ଲାଇଫ ଗାର୍ଡ ନିୟୋଜିତ କରାଯାଇଛି।
ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ିଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ପାଇଁ ବ୍ୟବସ୍ତା ହୋଇଛି । ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ିଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦିନ ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ ।
ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ପୁରୀକୁ ଆସୁଥିବା ଗାଡ଼ିଗୁଡିକୁ ଯାଞ୍ଚ କରାଯିବ। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସିସିଟିଭି ନଜରରେ ରହିବ । ନବବର୍ଷରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସମସ୍ତ ଭକ୍ତ ଓ ପର୍ଯ୍ୟଟକ ପୋଲିସକୁ ସହଯୋଗ କରିବା ପାଇଁ ପୁରୀ ଏସପି ବିନିତ ଅଗ୍ରିଓ୍ବାଲ ନିବେଦନ କରିଛନ୍ତି ।
ନବବର୍ଷ ପାଇଁ ପୁରୀ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ 100 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । ଡିସେମ୍ବର ୩୧ ତାରିଖ ସକାଳୁ ପୁରୀକୁ ଆସୁଥିବା ଗାଡ଼ିଗୁଡିକ ପାଇଁ ଟ୍ରାଫିକ କଟକଣା ଲଗାଯିବ । ଏହି କଟକଣା ଜାନୁଆରୀ ୧ ତାରିଖ ଦିନ ମଧ୍ୟ ବଳବତ୍ତର ରହିବ। ଏଣୁ ପୁରୀକୁ ଆସୁଥିବା ଭକ୍ତ ପର୍ଯ୍ୟଟକମାନେ ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନାକୁ ଦେଖି ପୁରୀକୁ ଆସିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।