ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ (JD Vance) । ଉପରାଷ୍ଟ୍ରପତି ଜେଡି ସହ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ (Usha Vance) ଏବଂ ସେମାନଙ୍କ ପିଲାମାନଙ୍କ ସହିତ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ଭାନ୍ସ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ । ଦୁଇ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ପ୍ରଥମେ ପରିବାର ସହ ଯାଇ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚାରି ଦିନିଆ ସରକାରୀ ଗସ୍ତ ପାଇଁ ଭାରତରେ ପ
ହଞ୍ଚିଛନ୍ତି । ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଆଜି (ସୋମବାର) ସକାଳ ପ୍ରାୟ 9:30ରେ ନୂଆଦିଲ୍ଲୀର ପାଲମ ଏୟାରବେସରେ ଅବତରଣ କରିଥିଲେ । ଭାନ୍ସଙ୍କୁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ । ଆମେରିକା ଉପରାଷ୍ଟ୍ରପତି ଭାନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ, ୭, ଲୋକ କଲ୍ୟାଣ ମାର୍ଗରେ ଏକ ଆନୁଷ୍ଠାନିକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ।
ଦୁଇ ନେତାଙ୍କ ମଧ୍ୟରେ ଆନୁଷ୍ଠାନିକ ସାକ୍ଷାତ ଆଲୋଚନା ପରେ, ଭାନ୍ସଙ୍କ ପରିବାର ଜୟପୁର ଏବଂ ଆଗ୍ରା ଗସ୍ତ କରିବେ । ଉପରାଷ୍ଟ୍ରପତି ଭାନ୍ସ ଆସନ୍ତାକାଲି (ମଙ୍ଗଳବାର) ଜୟପୁର ଯାତ୍ରା କରିବେ । ଏପ୍ରିଲ ୨୩ରେ ସେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱ ପ୍ରସିଦ୍ଧ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ତାଜମହଲକୁ ଉପରାଷ୍ଟ୍ରପତି ଭାନ୍ସଙ୍କ ଗସ୍ତ ପାଇଁ ପ୍ରସ୍ତୁତ କରାଯାଉଛି । 2020ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ତାଜମହଲ ପରିଦର୍ଶନରେ ଆସିଥିଲେ ।
ଭାନ୍ସ ଏବଂ ତାଙ୍କ ପରିବାର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସେମାନେ ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କରୁଥିବା ସ୍ଥାନ ଏକ ସପିଂ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଆମେ ଅକ୍ଷରଧାମ ମନ୍ଦିରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଆମେରିକା ଉପରାଷ୍ଟ୍ରପତି ମନ୍ଦିର ପରିଦର୍ଶନ କରିବେ । ଆମେ ପରିସରକୁ ଭଲ ଭାବରେ ଯାଞ୍ଚ କରିଛୁ ଏବଂ ଆମର ଟିମ୍କୁ ମନ୍ଦିର ପରିସରରେ ନିୟୋଜିତ କରାଯାଇଛି ।"
ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତ ସମୟରେ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଛୋଟ ଗାଁ ଭାଡଲୁରୁରେ ଏକ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଭାଡଲୁରୁ ହେଉଛି ଆମେରିକା ଉପରାଷ୍ଟ୍ରପତି ଭାନ୍ସଙ୍କ ପତ୍ନୀ ଉଷା ଭାନ୍ସ (ନୀ. ଚିଲୁକୁରି)ଙ୍କ ପୈତୃକ ଘର । ଏହି ଗସ୍ତ ବିଷୟରେ, ଦେଶରେ ରହଣି ସମୟରେ ଏହି ଦମ୍ପତି ସେମାନଙ୍କ ଗାଁକୁ ଆସିବେ ବୋଲି ସ୍ଥାନୀୟ ଲୋକମାନେ ଆଶାବାଦୀ ଅଛନ୍ତି । ଭାନ୍ସଙ୍କ ଭାରତ ଗସ୍ତ ଗୁରୁବାର, ଏପ୍ରିଲ 24 ତାରିଖରେ ଶେଷ ହେବ ।