ଭବାନୀପାଟଣା: ଲାଞ୍ଚ ନେଇ ଧରାପଡିଲେ ଯୁବ IAS ଅଫିସର । 10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭ

ିଜିଲାନ୍ସ ଟିମ୍ । ରେଡ ହ୍ୟାଣ୍ଡେଡରେ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା । ତାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । 2021 ବ୍ୟାଚର ଆଇଏଏସ ଅଫିସର ଧିମନ ଚକମାଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ ହେଲେ ଭିଜିଲାନ୍ସ ଟିମ୍ । ଏଯାବତ ତାଙ୍କ ଘରୁ ମିଳିଲାଣି ନଗଦ 47 ଲକ୍ଷ ଟଙ୍କା ସମେତ ଅନେକ ଗହଣା ଓ ଦାମୀ ଜିନିଷ ।

ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଜୟପାଟଣାର ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଠୁ ୨୦ ଲକ୍ଷ ଲାଞ୍ଚ ଦାବି କରିଥିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା । ଲାଞ୍ଚ ନଦେଲେ ତାଙ୍କ ବ୍ୟବସାୟ ଉପରେ ରେଡ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡକାଇ 10 ଲକ୍ଷ ଲାଞ୍ଚ ନେବା ବେଳେ ପୂର୍ବରୁ ଖବର ପାଇ ଘରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ସେଠାରୁ ନଗଦ 10 ଲକ୍ଷ ଟଙ୍କାର 26ଟି 100ଟଙ୍କିଆ ବଣ୍ଡଲ ସହ ଧରାପଡିଥିଲେ ଲାଞ୍ଚୁଆ ଯୁବ IAS ଅଫିସର ଧିମନ ଚକମା ।

ଏନେଇ ଭିଜିଲାନ୍ସ ପକ୍ଷରୁ ତୁରନ୍ତ ତାଙ୍କର ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଥିଲା । ସର୍ଚ୍ଚ ବେଳେ ନଗଦ ୪୭ ଲକ୍ଷ ଟଙ୍କା ଜବତ ହେବା ସହ ଅନ୍ୟ କାଗଜ ପତ୍ର ଓ ଗହଣା ମଧ୍ୟ ଠାବ କରାଯାଇଛି । ଯାହାକୁ ନେଇ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ । ସେପଟେ ଭିଜିଲାନ୍ସ ପକ୍ଷରୁ କେସ‌ ନମ୍ବର ୬/୨୫ରେ ପିସି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । । ତେବେ ଜଣେ 2021 ବ୍ୟାଚର IAS ଅଫିସର ଟ୍ରେନିଂ ପରେ ତାଲିମ ନେଇ କାର୍ଯ୍ୟରେ ଯୋଗଦେଇଥିଲେ ।ହେଲେ ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ଏଭଳି ଲାଞ୍ଚ ନେଇ ଧରାପଡ଼ିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

0 Comments