ଆମ୍ବ ଟାକୁଆ ଖାଇ ଚାଲିଗଲା ଦୁଇଜଣଙ୍କ ଜୀବନ । ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ । ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ । ମୃତକ ଦୁଇଜଣ ସ୍ଥାନୀୟ ମହିଳା ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ସେପଟେ ଘଟଣାରେ ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।
ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ମୃତ ଓ ଅସୁସ୍ଥମାନେ ଆମ୍ବ ଟାକୁଆରୁ ଯାଉ ପ୍ରସ୍ତୁତ କରି ଖାଇଥିଲେ । ଏହାର କିଛି ସମୟ ପରେ ହଠାତ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ୬ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଅନ୍ୟଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଅସୁସ୍ଥମାନଙ୍କ ଅବସ୍ଥା ଏବେ ଗୁରୁତର ଅଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
୨ ମୃତ ଓ ୬ ଅସୁସ୍ତଙ୍କ ମଧ୍ୟରେ ସମସ୍ତେ ମହିଳା ରହିଛନ୍ତି । ଅସୁସ୍ଥ ୬ ଜଣକୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆଜି ସକାଳେ ‘ଏମକେସିଜି’ କୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି । ଅସୁସ୍ଥଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁବ୍ରତ ଦାସ କହିଛନ୍ତି, ସମସ୍ତ ୬ ଜଣଙ୍କ ଅବସ୍ଥା ଗୁରୁତର ଏବଂ ଏହା ଫୁଡ ପଏଜନିଂ ପରି କାରଣରୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଦିବାସୀ ସମ୍ପ୍ରଦାୟରେ ଆମ୍ବ ଟାକୁଆ ଖାଇବା ସାଧାରଣଃ ପ୍ରଚଳିତ । ମାତ୍ର ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ପ୍ରସ୍ତୁତି କରିବା ଦ୍ୱାରା ଏହା ବିଷାକ୍ତ ସାବସ୍ତ ହୋଇପାରେ । ତେବେ ଏହି ମାମଲାରେ ପ୍ରାଥମିକ ଭାବେ ଏହା ସନ୍ଦେହ କରାଯାଉଥିଲେ ସୁଦ୍ଧା ତଦନ୍ତ ପରେ ହିଁ ଫୁଡ ପଏଜନିଂର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ।
"ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗର ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ କରିଛନ୍ତି । ମେଡିକାଲ ଟିମ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ଯେଉଁ ଦୁଇ ଜଣଙ୍କ ମୃତ୍ୟୁ କଥା କୁହାଯାଉଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ବାଟରେ ହୋଇଥିଲା । ଅନ୍ୟ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ପରେ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାପରେ କାରଣ ଜଣା ପଡିବ । ଅନ୍ୟ ୬ ଜ
MKCG ମେଡିକାଲ କଲେଜରେ ଚିକିତ୍ସା ହେଉଛନ୍ତି । ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଉଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମ୍ବ ଟାକୁଆ ଖାଇବା କନ୍ଧମାଳ ପରି ଜିଲ୍ଲାରେ ହେଉଥିବା ଅନେକ ସମୟରେ ଗଣମାଧ୍ୟ୍ୟମରେ ଆସେ । ସେମାନେ ଖରା ଦିନେ ଶୁଖାଇ ବର୍ଷା ଦିନେ ଖାଆନ୍ତି । ମୃତକଙ୍କ ପରିବାର NFSC ଖାଦ୍ୟ ସୁରକ୍ଷାରେ ଥିବେ" ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ
ମୁକେଶ ମହାଲିଙ୍ଗ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଇଣ୍ଟିଗ୍ରେଟେଡ ଡିଜିଜ୍ ସର୍ଭିଲାନ୍ସ ପ୍ରୋଜେକ୍ଟ (IDSP), ମୋବାଇଲ୍ ହେଲଥ ୟୁନିଟ୍ ଏବଂ ସ୍ଥାନୀୟ ମେଡିକାଲ ଟିମର ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ଏହି ଟିମ୍ ଘଟଣା ସମ୍ପର୍କରେ ଅନୁଧ୍ୟାନ ଶେଷ କରି ରିପୋର୍ଟ ଦେବା ପରେ ହିଁ, ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଏପରି ଘଟିଲା, ତାହା କହିବା ସମ୍ଭବପର ହେବ । ଅନ୍ୟପଟେ କନ୍ଧମାଳ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପ୍ରଭାବିତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ଘଟଣାର ତଦନ୍ତ କରୁଛନ୍ତି । ପ୍ରାୟତଃ ଆଦିବାସୀ ସମାଜରେ ଆମ୍ବ ଟାକୁଆକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାରୁ ଚିନ୍ତା ବଢିଛି ଓ ଜନସଚେତନତା ସୃଷ୍ଟି ପାଇଁ ପ୍ରଶାସନ ପ୍ରୟାସ କରୁଛି ।