କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ନୂଆ ମୋଡ । ହାଇକୋର୍ଟରେ ପହଞ୍ଚିଲା ମାମଲା । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ମାମଲାରେ ଆଜି ଉଚ୍ଚତମ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର
ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।
ହାଇକୋର୍ଟରେ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ସରକାର ଉତ୍ତର ରଖିଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ମାନିବା କିମ୍ବା ସାର୍ବଜନୀନ କରିବାକୁ ସରକାର ବାଧ୍ୟ ନୁହନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେହପରି କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାକୁ ମଧ୍ୟ ସରକାର ବାଧ୍ୟ ନୁହଁନ୍ତି କୋର୍ଟକୁ ଜଣାଇଛନ୍ତି ସରକାର ।
ଅନ୍ୟପଟେ କାହିଁକି ସରକାର ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହଁନ୍ତି ତାହା ଆଗାମୀ ତାରିଖରେ ଶୁଣାଣି ହେବ । ଆସନ୍ତା 12 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା । ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି । ସରକାର ବାରମ୍ବାର ସମୟ ନେଇ ଚାଲିଛନ୍ତି । ଏହି ମାମଲାରେ କୋର୍ଟ ଶୁଣାଣି କରି କେବେ ଏହାର ଜବାବ ରଖିବେ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆବେଦନକାରୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ସେକ୍ସନ 3(4) ତଦନ୍ତ କମିଶନ 1952 ଧାରାକୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀଗୁଡିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASIକୁ ଦାୟିତ୍ୱ ଦିଆଯିବା ଭଳି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ ।