ପାରାଦ୍ବୀପ ବନ୍ଦରରେ ଗିରଫ ହେଲା ଚୀନ ଜାହାଜ । ZHE HAI IMO-୯୫୬୭୪୭୭ ନାମକ ଏକ ଚୀନ ଜାହାଜକୁ ଗିରଫ କରାଯାଇଛି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ସବ୍‌ ଜଜ୍ ମଙ୍ଗଳବାର ସନ୍ଧ୍ୟାରେ ଜାହାଜକୁ ଗିରଫ କରିଛନ୍ତି । ଏହି ଜାହାଜଟି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ ନେଇ ପାରାଦ୍ବୀପ ଆସିଥିଲା । ଜାହାଜ ଉପରେ ଓଡ଼ିଶାର ଏକ ସଂସ୍ଥାର ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ରହିଥିଲା । ଜାହାଜ ମାଲିକ ଏହି

ବକେୟା ଅର୍ଥ ପ୍ରଦାନ ନ କରିବାରୁ ସଂସ୍ଥା ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ହାଇକୋର୍ଟ ଏହାକୁ ବିଚାର କରି ଉକ୍ତ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ସ୍କାଣ୍ଡି ଟ୍ରେଡିଂ ଲିମିଟେଡ ନାମକ ସଂସ୍ଥାକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ଦେବାର ଥିଲା । କିନ୍ତୁ ସେ ଏହି ବକେୟା ନ ଦେବାରୁ ସମ୍ପୃକ୍ତ ସଂସ୍ଥା ହାଇକୋର୍ଟରେ ଆବଦେନ କରିଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି. ନରସିଂହ ସୋମବାର ଦିନ ଏହାର ଶୁଣାଣି କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଦିନ ଜାହାଜ ଆସି ପାରାଦ୍ବୀପ ବନ୍ଦରରେ ଲାଗିବା ପରେ ଏହାକୁ କରାଯାଇଥିଲା । ଆବେଦନକାରୀ, ହାଇକୋର୍ଟଙ୍କ ଏହି ଆଦେଶ କପି ସହ ହାଇକୋର୍ଟ ମାର୍ସାଲଙ୍କ ଚିଠି ମେଲ, ଫାକ୍ସ ଅବା ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ । ଅଗଷ୍ଟ ପହିଲାକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି ।

ମାମଲାରୁ ଜଣାଯାଇଛି ଯେ, ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡି ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଚୀନ କମ୍ପାନୀର ଜାହାଜ ଓ ଟ୍ରେଡି ସଂସ୍ଥାକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଆଡମିରାଲିଟି ଆଇନର (ଜୁରିସଡିକସନ୍ ଆଣ୍ଡ ସେଟେଲ୍‌ମେଣ୍ଟ ଅଫ୍ ମ୍ୟାରିଗଇମ୍ ବ୍ରେସ୍‌)-୨୦୧୭ ଧାରା (୪)(୧)(ଆଇ)ରେ ଏହି ମାମଲା ରୁଜୁ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଦଖଲ ସମସ୍ତ ଦସ୍ତାବିଜ ଏବଂ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ଶୁଣିବା ପରେ ଏଥିରେ ପ୍ରାଥମିକ ପ୍ରମାଣ ଥିବା ଅନୁଭବ କରି ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ ହାଇକୋର୍ଟ ।

ପ୍ରକାଶ ଥାଉକି, ୬ ମାସ ତଳେ MV ଦେବୀ ନାମକ ଏକ ଜାହାଜ ପାରାଦ୍ୱୀପ ବନ୍ଦରକୁ ଆସିଥିବା ବେଳେ ତା' ମଧ୍ୟରୁ ୧୦୦ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ ହୋଇଥିଲା ।ଫଳରେ ତଦନ୍ତ ଚାଲୁଥିବାରୁ କଷ୍ଟମ ବିଭାଗ ପକ୍ଷରୁ ବର୍ତ୍ତମାନ ଯାଏ ବି ଜାହାଜକୁ ଅଟକ ରଖାଯାଇଛି ।

0 Comments