କଟକ: କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର କୋଟି କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ହେଲେ ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଆଜି ରାଜା ଚକ୍ରଙ୍କୁ ଗିରଫ କରିଛି । ଏହି ମହାଘୋଟଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବା ପ୍ରମାଣ ମିଳିବା ପରେ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।
ଗତ ଫେବ୍ରୁଆରୀ ୭ ତାରିଖରେ ଅନିୟମିତତା ନେଇ ଜଣେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏନେଇ କ୍ରାଇମବ୍ରାଞ୍ଚର EOW , ଧାରା ୪୦୬/ ୪୦୯/ ୪୨୦/ ୪୬୭/ ୪୬୮/ ୪୭୧/ ୧୨୦-B IPC ରେ ପଞ୍ଜିକୃତ କରିଥିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କାର୍ଯ୍ୟରେ ସର୍ବାଧିକ ଅନିୟମିତତା ଏବଂ ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀଙ୍କ କଲ୍ୟାଣ ପାଇଁ ସୃଷ୍ଟି କରାଯାଇଥିବା ସମବାୟ ସଂସ୍ଥାର ପାଣ୍ଠିର ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଗୁରୁତ୍ୱର ସହ ନେଇ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା । ତଦନ୍ତ ସମୟରେ ସ୍ପଷ୍ଟ ହୋଇଥିଲା ଯେ, ଲୋଡିଂ ଏଜେନ୍ସି 2017-18 ରୁ ମାର୍ଚ୍ଚ 24 ପର
୍ଯ୍ୟନ୍ତ ପ୍ରାୟ 185 କୋଟି ଟଙ୍କା ରୋଜଗାର କରିଛି ।
ସେହିପରି ସଂସ୍ଥାର ସଭାପତି ଏବଂ ସମ୍ପାଦକ, ମାନସ ବାରିକ ଏବଂ ଉତ୍କଳ ଦାସ, ଅନ୍ୟ କିଛି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ବିପୁଳ ପରିମାଣର ଠକେଇ କରିଥିବା ନେଇ ତଦନ୍ତରୁ ଜାଣି ପାରିଥିଲା କ୍ରାଇମବ୍ରାଞ୍ଚ । ବଡ଼ କଥା ହେଉଛି, ବିକାଶ ନାମରେ, 34 କୋଟି ଟଙ୍କା ନିଆଯାଇଥିଲା, କିନ୍ତୁ କୌଣସି ଉନ୍ନତ ମୂଳକ କାର୍ଯ୍ୟ କରାଯାଇ ନଥିଲା । ସେହିପରି, 9.1 କୋଟି ଟଙ୍କା ନିଆଯାଇ ଗୋଟିଏ ମା’ କାଳୀ ପେଟ୍ରୋଲ ପମ୍ପକୁ ଦିଆଯାଇଥିଲା । ଯାହା GML କୁ କୌଣସି ଇନ୍ଧନ ଯୋଗାଇ ନଥିଲା, ବରଂ ଏହା ଜଣେ ସୌମ୍ୟ ଶଙ୍କର ଚକ୍ରଙ୍କ ଯାନଗୁଡ଼ିକୁ ଇନ୍ଧନ ଯୋଗାଇ ଦେଉଥିଲା । ଯାହାର ପେମେଣ୍ଟ GML ଦ୍ୱାରା କରାଯାଉଥିଲା । ପ୍ରାୟ 33 କୋଟି ଟଙ୍କା ସ୍ଥାନୀୟ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା ଯେଉଁମାନେ ସମବାୟ ସମାଜର ସଦସ୍ୟ ବୋଲି ସ୍ପଷ୍ଟ ହୋଇଛି । ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଯେଉଁ ଟଙ୍କା ଉଠାଇଥିଲେ, କିନ୍ତୁ କୈଣସି କାର୍ଯ୍ୟ କରାଯାଇନଥିଲା ବୋଲି ବିଡିଓ ସ୍ପଷ୍ଟ କରିଥିଲେ
ଏହାର ଉଦ୍ଦେଶ୍ୟ ଥିଲା କୌଣସି ଗ୍ରାମବାସୀ ଯେପରି ବିରୋଧ କରିବେ ନାହିଁ ବରଂ ସମର୍ଥନ କରିବେ । ପ୍ରାୟ ୭୪ କୋଟି ଟଙ୍କା ଲୋଡିଂ ଚାର୍ଜ ଏବଂ ଶ୍ରମ ଦେୟ ଭାବରେ ଉଠାଯାଇଥିବା ଦର୍ଶାଯାଇଛି । ସମ୍ପୃକ୍ତ ମାଷ୍ଟର ରୋଲ୍ ଏବଂ ଭାଉଚରଗୁଡ଼ିକ ମେଳ ଖାଉନାହିଁ ।
୨୦୧୨ ଏବଂ ୨୦୧୩ ମସିହାରୁ ସୋସାଇଟି ଅଡିଟ୍ କରିନାହିଁ । ସୋସାଇଟି, ରାଜା ଚକ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ତାଙ୍କ ସହଯୋଗୀ ସଦାଶିବ ସାମଲ, ସୁଧାଂଶୁ ଶେଖର ନାୟକ ଏବଂ ସମୀର ଜେନାଙ୍କ ମାଧ୍ୟମରେ ଚାଲୁଥିଲା । ରାଜା ଚକ୍ର ତାଙ୍କ ବ୍ୟବସାୟ ଚଳାଇବା ପାଇଁ ଶଙ୍କର ମିନେରାଲ୍, ଶଙ୍କର ଟ୍ରାନ୍ସପୋର୍ଟିଂ ଶଙ୍କର ରୋଡ୍ୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି ।
ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏବଂ ଅନ୍ୟ ଚାରି ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଏହି ମହାଘୋଟଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କି ପ୍ରମାଣ ମିଲିବା ପରେ ତଦନ୍ତକୁ ଜୋରଦାର କରିଥିଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ , ଇଓଡବ୍ଲ୍ୟୁ ଓ ରାଜ୍ୟ ସ୍ପେଶାଲ୍ ଟାକ୍ସଫୋର୍ସ ବା ଏସଟିଏଫର ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ବହୁଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ସହିତ ଅନ୍ୟ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲଙ୍କୁ ପୂର୍ବରୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଏହି ମାମଲାର ଶୁଣାଣି କରି ଜାମିନ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ ।