ଗୋଡ଼ଲୋଇସିଂହ ପଞ୍ଚାୟତର ବେଳପାଣି ଗ୍ରାମରେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ଦେଢ଼ କିମି ବୋହି ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ଘଟଣା । ଏହି ଘଟଣାକୁ ନେଇ ଆଜି (ମଙ୍ଗଳବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ 25 ବର୍ଷର ଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।

ମହିଳାଙ୍କୁ ଖଟିଆରେ ଦେଢ଼ କିମି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଏଭଳି ଖଟରେ ବୁହା ହେବା ଘଟଣା ଆଜିର ଓଡ଼ିଶାର ବାସ୍ତବିକ ଚିତ୍ର ଅଟେ l ଯେଉଁମାନେ 25 ବର୍ଷ ଶାସନରେ ରହିଲା ପରେ ବି ସମ୍ବଲପୁର ଜିଲ୍ଲାର ସଦର ମହକୁମା ଠାରୁ ମାତ୍ର 50ରୁ 60 କିଲୋମିଟର ଦୂରତା ଭିତରେ ଥିବା ଗାଁ ଗୁଡିକର ଲୋକଙ୍କ ଏପରି ଅବସ୍ଥା ଅଛି । ତାହେଲେ ଏଠାରୁ ଅଧିକ ଦୂରତାରେ ଥିବା ଲୋକଙ୍କ ଅବସ୍ଥା କ'ଣ ହୋଇଥିବା ନକହିଲେ ଭଲ । ଯେଉଁମାନେ ଆଜି ରାଜ୍ୟର ରୂପାନ୍ତରଣ କଥା କହୁଛନ୍ତି ତାହା ସହ ଓଡିଶାକୁ ଏକ ନମ୍ବର ବନାଇବାର ମିଛ କଥା ପ୍ରଚାର କରୁଛନ୍ତି, ତାଙ୍କ ମୁହଁରେ ଆଜି ଓଡ଼ିଶାର ଗଣମାଧ୍ୟମ ପ୍ରଶ୍ନଚି଼ହ୍ନ ଲେଗେଇ ଦେଇଛି l ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଏହି ଘଟଣା ମିଛ ହୋଇପରେ ଅଥବା ଓଡ଼ିଶାରେ ବିକାଶର ଡିଣ୍ଡିମ ପିଟୁଥିବା ବାହାପିଆମା

ଙ୍କ କଥା ମିଛ ହୋଇପାରେ ।"

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "କେବଳ ସ୍ୱାସ୍ଥ୍ୟ ସେବାର କଥା ନୁହଁ ଓଡ଼ିଶାରେ ନୂଆ ପିଢ଼ିର ପିଲାମାନଙ୍କୁ ଅପପୁଷ୍ଟିର ଶିକାର କରେଇବା, ସରକାରୀ ଡାକ୍ତରଖାନାରେ ଡାକ୍ତର ଉପଲବ୍ଧ ନକରେଇବା ଏହି ସବୁ ଆଜିର ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ପ୍ରମାଣ ଦେଉଛି । ସମୟ ଆସିଯାଇଛି ଏହାକୁ ବଦଳାଇବାର । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚାଲିଛି । ଯାହାକୁ ଭାରତ ବର୍ଷର ଅନେକ ରାଜ୍ୟ ଗ୍ରହଣ କରିସାରିଲେଣି । ଓଡ଼ିଶାରେ ଓଡ଼ିଆ ଲୋକମାନେ ମଧ୍ୟ ତାହାକୁ ଗ୍ରହଣ କରିବେ । ଚଳିତ ସାଧାରଣ ନିର୍ବାଚନରେ ଲୋକସଭା ଏବଂ ବିଧାନସଭାରେ ଭାରତୀୟ ଜନତା ପାର୍ଟୀକୁ ଭୋଟ ଦେଇ ଏକ ନମ୍ବର କରିବେ ।"

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣିର ସୁମିତ୍ରା ପାରେଖ ଗତକାଲି (ସୋମବାର) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଥିଲେ । କିନ୍ତୁ ବେଲପାଣି ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁରୁ ଦେଢ଼ କିମି ପୂର୍ବରୁ ଅଟକି ରହିଥିଲା । ଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଖଟିଆରେ ଦେଢ଼ କିମି ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା ।

0 Comments