ସମ୍ବଲପୁର: ଆସନ୍ତା ରବିବାର ନୂଆଖାଇ । ଏଥିପାଇଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ

ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ନୂଆଖାଇ ପାଇଁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବାନ୍ନ ଖାଇବା ସହ ନୂଆଖାଇ ଭେଟଘାଟରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଭୋଜନ ଥାଳିରେ ପରସା ଯିବ ଖାଣ୍ଟି ସମ୍ବଲପୁରୀ ଆଇଟମ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଦିନକ ପରେ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୂଆ ଖାଇବେ ସମସ୍ତେ । ଆଉ ଏଥର ଲୋକଙ୍କ ଖୁସିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିସହ ନୂଆ ମଧ୍ୟ ଖାଇବେ । ମୁଖ୍ୟମନ୍ତ୍ରୀଙ୍କ ଥାଳିରେ ପରସା ଯିବ ଭଳିକି ଭଳି ଖାଣ୍ଟି ସମ୍ବଲପୁରୀ ଆଇଟମ । ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ l

ନୂଆଖାଇ ପୂର୍ବରୁ ଆଜି ନୂତନ ସିନ୍ଦୁର ଲାଗି ନୀତି ଅନୁଷ୍ଠିତ ହୋଇଛି l ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ ମା’ ସମଲେଶ୍ବରୀଙ୍କ ପାର୍ଶ୍ଵରେ ଥିବା 115 ଦେବା ଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା l ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିବାର ପରମ୍ପରା ରହିଛି l ଆଜି ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ବକୁ ସଫା କରାଯାଇଛି l ଏହାପରେ ମା’ଙ୍କ ସବୁ ଗହଣା ସଫା କରାଯାଇଛି l ଅନ୍ୟପଟେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଖାଇକୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ସୁବିଧା କରାଯାଇଛି l

0 Comments